ଉତ୍ତର-ଟେଲିଭିଜନ ଯୁଗରେ ୟୁଟ୍ୟୁବ
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାପ୍ତାହିକ ସାମ୍ୱାଦିକତା ପତ୍ରାଂଶ
ଉତ୍ତର-ଟେଲିଭିଜନ ଯୁଗରେ ୟୁଟ୍ୟୁବ
(ପଠନ ଅବଧି : ୫ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୩୫ / ବ୍ରହ୍ମପୁର, ୧୯ ଜାନୁୟାରୀ ୨୦୨୪
ଭାରତୀୟ ଗଣମାଧ୍ୟମ ମୂଳସ୍ରୋତରେ ୨୦୨୪ ଆରମ୍ଭ ସୁଦ୍ଧା ଓଭର-ଦି-ଟପ ବା ‘ଓଟିଟି’ ମଞ୍ଚ ୟୁଟ୍ୟୁବ ସର୍ବାପେକ୍ଷା ପ୍ରଭାବଶାଳୀ ବିବେଚିତ । ବୟୋଜ୍ୟେଷ୍ଠ ଗଣମାଧ୍ୟମ ବିଶ୍ଳେଷିକା ସେବନ୍ତୀ ନିନାନ ୨୦୨୩ ଡ଼ିସେମ୍ୱର ଶେଷ ସପ୍ତାହରେ ଇଂଲିଶ ସମ୍ୱାଦପତ୍ର ‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ନିଜ ସ୍ତମ୍ଭରେ ‘ଉତ୍ତର-ଟେଲିଭିଜନ ଯୁଗ’ରେ ଭାରତୀୟ ଜନଜୀବନ ୟୁଟ୍ୟୁବ-ଆଶ୍ରିତ ଉଲ୍ଲେଖ କରିଥିଲେ । ଅର୍ଥାତ, ସ୍ୱାଧୀନୋତ୍ତର ଭାରତ ଗଣମାଧ୍ୟମ ଉପତ୍ୟକାରେ ମୁଦ୍ରଣ ପରେ ଟେଲିଭିଜନ ଗୁରୁତ୍ୱଲାଭ କରିଥିବା ସ୍ଥଳେ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ସାର୍ବଜନୀନ ଭିଡ଼ିଓ ବିନିମୟ ମଞ୍ଚ ୟୁଟ୍ୟୁବକୁ ଅପସାରିତ । ସେ ଦର୍ଶାଇଛନ୍ତି ଯେ ଉଭୟ ସମ୍ୱାଦ-କର୍ତ୍ତା ‘ନିଉଜ ମେକର୍ସ’ ଓ ସମ୍ୱାଦ-ପ୍ରଯୋଜକ ‘ନିଉଜ ପ୍ରୋଡ୍ୟୁସର୍ସ’ଙ୍କ ୟୁଟ୍ୟୁବ ପ୍ରଥମ ପସନ୍ଦ । ନିନାନଙ୍କ ମତରେ ୟୁଟ୍ୟୁବରେ ଭିଡ଼ିଓ ପ୍ରଦର୍ଶନ ‘ଏକଜିବିସିନ’ କିମ୍ୱା ଆହରଣ ‘ଭିଉ’ ନିମନ୍ତେ ଖର୍ଚ୍ଚ କିମ୍ୱା କଟକଣା ନଥିବା ହେତୁ ପ୍ରକୃତ ଜନସଂଚାର ‘ପବ୍ଳିକ ବ୍ରଡ଼କାଷ୍ଟର’ର ପରିଚ଼ୟ ଲାଭ କରିଛି ।
ଇଂଲିଶ ଦୈନିକ ‘ଦି ହିନ୍ଦୁ’ରେ ପ୍ରକାଶିତ ତଥ୍ୟ ଉଦ୍ଧାର କରି ସେ ଦର୍ଶାଇଛନ୍ତି ଯେ ଦେଶରେ ୟୁଟ୍ୟୁବର ସକ୍ରିୟ ଦର୍ଶକ ସଂଖ୍ୟା ୪୫ କୋଟି । ଏହା ଆମ ଜନସଂଖ୍ୟାର ୩୨.୮ ପ୍ରତିଶତ । ସାଧାରଣ ବିଚାରରେ ୟୁଟ୍ୟୁବ ଗଣମାଧ୍ୟମ ପ୍ରସାରଣ କ୍ଷେତ୍ରରେ ଏକ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିଥିବା ସୁସ୍ପଷ୍ଟ । ତେବେ ଜନସାଧାରଣଙ୍କ ଦ୍ୱାରା ୟୁଟ୍ୟୁବ ମଞ୍ଚରେ ସ୍ଥାନୀତ କରାଯାଉଥିବା ଭିଡ଼ିଓଗୁଡ଼ିକ ଦର୍ଶକମାନଙ୍କ ମଧ୍ୟରେ କେଉଁ ଧାରାରେ ପ୍ରଦର୍ଶିତ ହେବ, ତାହା ସଂପୃକ୍ତ ମଞ୍ଚର ଆଲଗୋରିଥିମ ନିର୍ଦ୍ଧାରଣ କରିଥାଏ । ପୂର୍ବରୁ ଓଟିଟି ମଞ୍ଚରେ ପ୍ରସାରିତ କାର୍ଯ୍ୟକ୍ରମ ନିୟନ୍ତ୍ରଣ କରିବା ନିମନ୍ତେ ମୌଳିକ ଆଇନାବଳୀ ବ୍ୟତୀତ ଅନ୍ୟ କୌଣସି କଟକଣା ନଥିବା ସ୍ଥଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ‘ବ୍ରଡ଼କାଷ୍ଟିଂ ବିଲ ୨୦୨୩’ରେ ନିୟାମକ ଆୟୋଜନ ବ୍ୟବସ୍ଥା କରାଯାଇଛି । ଏହି ଦୁଇ ପ୍ରତିବନ୍ଧକ ୟୁଟ୍ୟୁବ ଗଣତାନ୍ତ୍ରିକ ବିଭବର ବିରୁଦ୍ଧାଚରଣ କରିବ ।
ୟୁଟ୍ୟୁବରେ ସର୍ବସାଧାରଣଙ୍କ ଦ୍ୱାରା ପ୍ରଯୋଜିତ ଭିଡ଼ିଓ ସ୍ଥାନୀତ କରାଯାଉଥିବା ଏବଂ ପ୍ରଯୋଜକମାନଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ ମଞ୍ଚର ବୈଶିଷ୍ଟ୍ୟ । ‘ଅକ୍ସଫୋର୍ଡ ଇକନୋମିକ ଷ୍ଟଡ଼ି’ ଦ୍ୱାରା ୨୦୨୩ ଶେଷଭାଗରେ ପ୍ରସ୍ତୁତ ଏକ ଅଧ୍ୟୟନରେ ଭାରତରେ ପ୍ରାୟ ସାତ ଲକ୍ଷ ୟୁଟ୍ୟୁବ ଭିଡ଼ିଓ ପ୍ରଯୋଜକଙ୍କୁ ଚ଼ିହ୍ନଟ କରାଯାଇଥିଲା । ୟୁଟ୍ୟୁବ ଭାରତ-କେନ୍ଦ୍ରିକ ନିର୍ଦ୍ଦେଶକ ଇସାନ ଜନ ଚାଟାର୍ଜୀ ଜାନୁୟାରୀ ପହିଲା ୨୦୨୪ରେ ବାଣିଜ୍ୟ ସମ୍ୱାଦପତ୍ର ‘ବିଜିନେସ ଷ୍ଟାଣ୍ଡାର୍ଡ’ରେ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତରେ ୟୁଟ୍ୟୁବ ଭିଡ଼ିଓ ସ୍ଥାନୀତ କରି ଅର୍ଥ ଉପାର୍ଜନ କରୁଥିବା ପ୍ରତି ତିନିଜଣ ପ୍ରଯୋଜକଙ୍କ ମଧ୍ୟରୁ ଦୁଇ ଜଣ ଭିଡ଼ିଓ ପ୍ରଦର୍ଶନ ଆୟକୁ ବ୍ୟକ୍ତିଗତସ୍ତରରେ ଉପାର୍ଜନର ମୂଳ ସୂତ୍ର ସ୍ୱୀକାର କରିଥାନ୍ତି । ଅର୍ଥାତ, ଦେଶରେ ଏକ ବଡ଼ ସଂଖ୍ୟାରେ ପ୍ରତିଭାଧର ୟୁଟ୍ୟୁବ ଭିଡ଼ିଓ ପ୍ରଯୋଜନାକୁ ବୃତ୍ତିଗତସ୍ତରରେ ଗ୍ରହଣ କରିସାରିଲେଣି ।
ସେବନ୍ତୀ ନିନାନ ନିଜ ରଚନାରେ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲାରେ ଦଶ ହଜାର ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମରେ ୪୦ ଜଣ ୟୁଟ୍ୟୁବ ଭିଡ଼ିଓ ପ୍ରଯୋଜକ ଥିବା ସୂଚାଇ ଥିଲେ । ସେମାନଙ୍କ ବୃତ୍ତିଗତ ସହାୟତା ଲାଗି ସ୍ଥାନୀୟ ଜିଲ୍ଲାପାଳ ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ଷ୍ଟୁଡ଼ିଓ ନିର୍ମାଣ କରିଛନ୍ତି । ଜନୈକ ପ୍ରଯୋଜକ ଷ୍ଟୁଡ଼ିଓ ସୁବିଧା ଉପଯୋଗ କରି ଦଶ ହଜାର ଟଙ୍କା ଖର୍ଚ୍ଚରେ ମ୍ୟୁଜିକ ଭିଡ଼ିଓ ପ୍ରସ୍ତୁତ କରି ଏକ ଲକ୍ଷ ଟଙ୍କା ଯାଏଁ ଉପାର୍ଜନ କରିପାରୁଥିବା ତଥ୍ୟ ଦେଇଥିଲେ । ଏକ ପକ୍ଷରେ ୟୁଟ୍ୟୁବ ଭିଡ଼ିଓ ପ୍ରଯୋଜନା ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବୃତ୍ତିଗତ ପରିଚୟ ଲାଭ କରିଥିବା ସ୍ଥଳେ ଅପରପକ୍ଷରେ ଗଣମାଧ୍ୟମ ବିଶ୍ଳେଷକମାନେ ୟୁଟ୍ୟୁବରମାନଙ୍କ ପ୍ରାପ୍ୟ ପ୍ରଦାନରେ ସ୍ୱଚ୍ଛତା ନଥିବା ମଧ୍ୟ ଅଭିଯୋଗ କରିଥାନ୍ତି ।
ୟୁଟ୍ୟୁବ ୨୦୦୫ରେ ‘ଓଟିଟି’ ମଞ୍ଚ ରୂପେ ବିକଶିତ ହୋଇଥିଲା । ଏହି ମଞ୍ଚ ୨୦୦୮ରେ ଭାରତରେ ପ୍ରସାର ଲାଭ କରିଥିଲା । ବିଶ୍ୱବ୍ୟାପୀ ୨୦୨୩ ସୁଦ୍ଧା ୨୦ ଲକ୍ଷ ୟୁଟ୍ୟୁବର ସକ୍ରିୟ ଥିଲେ ଏବଂ ଫେବୃୟାରୀ ୨୦୨୩ରୁ ଭାରତରେ ‘ସର୍ଟ’ ଭିଡ଼ିଓ ପ୍ରଦର୍ଶନରେ ଅର୍ଥ ଉପାର୍ଜନ ସୁଯୋଗ ଉପଲବ୍ଧ ହୋଇଥିଲା । ୟୁଟ୍ୟୁବ ମଞ୍ଚ ପକ୍ଷରୁ ଭିଡିଓ ନିର୍ମାଣ ବିଶେଷକରି ସମ୍ପାଦନା, ଦୃଶ୍ୟାଙ୍କନ ଓ ଶବ୍ଦ ସଂଯୋଜନା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ୟୁଟ୍ୟୁବ ‘କ୍ରିଏଟ’ ଆପ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି । ସେହିପରି ‘ଏଲାଉଡ଼’ ଆପ ଜରିଆରେ ଗୋଟିଏ ଭାଷାରେ ପ୍ରସ୍ତୁତ ଭିଡ଼ିଓକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ସମ୍ଭବ ହୋଇପାରୁଛି । ଏହି ସବୁ ବିଭବ ସାଧାରଣ ବ୍ୟକ୍ତିଙ୍କୁ ଉଚ୍ଚଧରଣର ଭିଡ଼ିଓ ବିନା ଖର୍ଚ୍ଚରେ ବା କମ ଖର୍ଚ୍ଚରେ ପ୍ରଯୋଜନାର ସୁଯୋଗ ଦେଇପାରୁଛି ।
ୟୁଟ୍ୟୁବ କର୍ମକର୍ତ୍ତାମାନେ ନିକଟ ଭବିଷ୍ୟତରେ ଭାରତରେ ମଞ୍ଚର ସଂପ୍ରସାରଣ ସଂପର୍କରେ ଆଶାୟୀ । ଇସାନ ଜନ ଚାଟାର୍ଜୀ କହିଛନ୍ତି ଯେ ସର୍ଟ ଭିଡିଓଗୁଡ଼ିକର ଲୋକପ୍ରିୟତା ୨୦୨୨ ତୁଳନାରେ ୨୦୨୩ରେ ବାର୍ଷିକ ପ୍ରାୟ ୧୨୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଦେଶରେ ଅଧିକାଂଶ ପରିବାର ଘରେ ସ୍ମାର୍ଟ ଟିଭି ପରଦାରେ ୟୁଟ୍ୟୁବ ଭିଡ଼ିଓ ଦେଖିବାକୁ ପସନ୍ଦ କରୁଛନ୍ତି । ସ୍ମାର୍ଟ ଟିଭିର ଦର ଖସି ଆସୁଥିବା ହେତୁ ଏହି ବର୍ଗରେ ଅଧିକ ଯୋଡ଼ି ହେବା ଆଶା କରାଯିବା ଯଥାର୍ଥ । ଏତଦ୍ ବ୍ୟତୀତ ଇଣ୍ଟରନେଟ ସଂଯୁକ୍ତି ବଢୁଥିବା ହେତୁ ଅଧିକ ସଂଖ୍ୟକ ୟୁଟ୍ୟୁବ ସମେତ ଅନ୍ୟାନ୍ୟ ଓଟିଟି ମଞ୍ଚର ପୃଷ୍ଠପୋଷକ ସାଜିବେ ।
ଓଟିଟି ମଞ୍ଚର ପ୍ରସାରକୁ ‘ଉତ୍ତର-ଟେଲିଭିଜନ ଯୁଗ’ ରୂପେ ଚ଼ିହ୍ନିତ କରିବାରେ ତିନିଗୋଟି ବିଷୟ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ଗୃହରେ ସ୍ଥାପିତ ଟେଲିଭିଜନ ସେଟରୁ ଅପସରି ମୋବାଇଲ ଫୋନ ଯୋଗେ କାର୍ଯ୍ୟକ୍ରମ ଆହରଣ ଅଭ୍ୟାସ ଦର୍ଶକଙ୍କୁ ଟେଲିଭିଜନରୁ ଦୂରେଇ ଦେଇଥିଲା । ଦ୍ୱିତୀୟତଃ, ସୋସିଆଲ ମିଡ଼ିଆ ଓ ମେସେଞ୍ଜର ଆପଗୁଡ଼ିକର ପ୍ରସାର ପରେ ଉପଭୋକ୍ତାମାନେ ଜ୍ଞାତିକୁଟୁମ୍ୱ ତଥା ନିର୍ବାଚ଼ିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରେରିତ ବିଷୟବସ୍ତୁକୁ ଅପେକ୍ଷାକୃତ ଗୁରୁତ୍ୱ ଦେଲେ । ତୃତୀୟତଃ, ସ୍ମାର୍ଟ ଟିଭିରେ ‘ଓଟିଟି’ ମଞ୍ଚ ସମେତ ବିବିଧତାରେ ପରିପୂର୍ଣ୍ଣ, ଆବଶ୍ୟକୀୟ ଓ ବିନାମୂଲ୍ୟରେ ବିତରିତ ୟୁଟ୍ୟୁବ କାର୍ଯ୍ୟକ୍ରମ ଆହରଣ ଏକ ପରିବର୍ତ୍ତିତ ପରିବେଶ ସୃଷ୍ଟି କରିବା ସ୍ତରରେ ପହଞ୍ଚିଛି ।
ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ୟୁଟ୍ୟୁବ ସର୍ବାପେକ୍ଷା ଲୋକପ୍ରିୟ ‘ଓଟିଟି’ ମଞ୍ଚର ମାନ୍ୟତା ପାଇଥାଏ । ସିଙ୍ଗାପୁରଭିତ୍ତିକ ‘ମିଡ଼ିଆ-ପାର୍ଟନର୍ସ ଏସିଆ’ ପକ୍ଷରୁ ପ୍ରକାଶିତ ‘ଏସିଆ-ପେସିଫିକ ଭିଡ଼ିଓ ଏଣ୍ଡ ବ୍ରଡବ୍ୟାଣ୍ଡ ୨୦୨୪’ ରିପୋର୍ଟ’ରେ ଉଲ୍ଲେଖ କରାଯାଇଛି ଯେ ଓଟିଟି କ୍ଷେତ୍ରରେ ୟୁଟ୍ୟୁବ ବିଜ୍ଞାପନ ଆୟ ସର୍ବାଧିକ ଏବଂ ପରକୁ ଟିକଟକ ଓ ନେଟଫ୍ଳିକ୍ସ ରହିଛି । ଏହି ଅଞ୍ଚଳରେ ‘ଓଟିଟି’ ମଞ୍ଚଗୁଡ଼ିକର ପ୍ରାୟ ୫୧ ପ୍ରତିଶତ ଆୟ ବିଜ୍ଞାପନରୁ ଆସେ । ଏହା ୨୦୨୮ ବେଳକୁ ୫୪ ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଉଛି । ଭାରତରେ ଓଟିଟି ମଞ୍ଚଗୁଡ଼ିକର ବିଜ୍ଞାପନ ଆୟ ୨୦୨୮ ସୁଦ୍ଧା ମୋଟ ରାଜସ୍ୱର ୬୫ ପ୍ରତିଶତକୁ ବୃଦ୍ଧି ପାଇବା ତଥା ବାର୍ଷିକ ଅଭିବୃଦ୍ଧି ହାର ୨୬ ପ୍ରତିଶତ ହିସାବ କରାଯାଉଥିବା ୟୁଟ୍ୟୁବ ସମେତ ସାମଗ୍ରିକ ଭାବେ ‘ଓଟିଟି’ ମଞ୍ଚ ଗୁଡ଼ିକର ଉଜ୍ୱଳ ଭବିଷ୍ୟତରେ ସୂଚନା ଦିଏ । ଅବଶ୍ୟ ଗ୍ରାହକ ଚାନ୍ଦା ନେଟଫ୍ଳିକ୍ସ ଓ ଆମେଜନ ପ୍ରାଇମ ଆପ କ୍ଷେତ୍ରରେ ମାତ୍ର ୯ ପ୍ରତିଶତରେ ସୀମିତ ରହିବ । ଅନ୍ୟପକ୍ଷରେ ଟେଲିଭିଜନର ବିଜ୍ଞାପନ ଆୟ ୨୦୨୩ରେ ମୋଟ ଆୟର ୭୦ ପ୍ରତିଶତରୁ ୨୦୨୮ରେ ୫୫ ପ୍ରତିଶତକୁ ଖସିବା ଆଶଙ୍କା କରାଯାଉଛି । ଏହି ପରିବର୍ତ୍ତିତ ପରିବେଶ ‘ଉତ୍ତର-ଟେଲିଭିଜନ ଯୁଗ’ର ସଂକେତ ଦେଇଥାଏ ।