ଗଣମାଧ୍ୟମ ବିଶ୍ୱସନୀୟତା
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାପ୍ତାହିକ ସାମ୍ୱାଦିକତା ପତ୍ରାଂଶ
ଗଣମାଧ୍ୟମ ବିଶ୍ୱସନୀୟତା
(ପଠନ ଅବଧି : ୬ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୩୭ / ବ୍ରହ୍ମପୁର, ୨ ଫେବୃୟାରୀ ୨୦୨୪
ଆନ୍ତର୍ଜାତିକସ୍ତରରେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସନୀୟତା ପରିମାପକ ‘ଏଡ଼େଲମେନ ଟ୍ରଷ୍ଟ ବାରୋମିଟର ୨୦୨୪’ରେ ସୂଚ଼ିତ ପାଞ୍ଚଗୋଟି ସ୍ଥାନରେ ଭାରତୀୟ ଗଣମାଧ୍ୟମ ଚ଼ତୁର୍ଥ ସ୍ଥାନ ଅଧିକାର କରୁଥିବା ପ୍ରକାଶିତ । ସୁଇଜରଲ୍ୟାଣ୍ଡର ଡ଼ାଭୋସଠାରେ ‘ବିଶ୍ୱ ଅର୍ଥନୀତି ମଞ୍ଚ’ର ବାର୍ଷିକ ବୈଠକ ଆୟୋଜନ ଅବ୍ୟବହିତରେ ୧୫ ଜାନୁୟାରୀ ୨୦୨୪ରେ ଏଡ଼େଲମେନ ବିବରଣୀ ଉନ୍ମୋଚ଼ିତ ହୋଇଥିଲା । ଭାରତୀୟମାନେ ବିଶ୍ୱସନୀୟତାରେ ବ୍ୟବସାୟ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସର୍ବୋତ୍ତମ ପ୍ରଥମ ସ୍ଥାନ ଏବଂ ସର୍ବ ନିମ୍ନ ପଞ୍ଚମ ସ୍ଥାନରେ ସରକାରଙ୍କୁ ସ୍ଥାନୀତ କରିଛନ୍ତି ।
ଏଡ଼େଲମେନ ପକ୍ଷରୁ ୨୪ତମ ବାର୍ଷିକ ବିବରଣୀ ପ୍ରସ୍ତୁତି ନିମନ୍ତେ ୨୦୨୩ ଅକ୍ଟୋବର ଓ ନଭେମ୍ୱର ମାସରେ ୨୮ ଗୋଟି ରାଷ୍ଟ୍ରରେ ୩୨ ହଜାର ବ୍ୟକ୍ତିଙ୍କ ଅଭିମତ ସଂଗ୍ରହ କରାଯାଇଥିଲା । ମୁଖ୍ୟତଃ ବ୍ୟବସାୟ, ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଓ ସରକାରଙ୍କ କାର୍ଯ୍ୟଧାରାରେ ସ୍ଥାନୀୟ ନାଗରିକଙ୍କ ବିଶ୍ୱସନୀୟତା ପରିମାପ ନିମନ୍ତେ ତଥ୍ୟ ସଂକଳିତ । ସାମଗ୍ରିକଭାବେ ୨୦୨୪ ବିବରଣୀରେ ୨୮ଗୋଟି ରାଷ୍ଟ୍ର ମଧ୍ୟରେ ଚୀନ ପ୍ରଥମ ସ୍ଥାନ ଅଧିକାର କରିଛି । ଭାରତ ୨୦୨୩ରେ ଚ଼ତୁର୍ଥ ସ୍ଥାନରୁ ୨୦୨୪ରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ଜଣାଯାଏ ।
ବିଶ୍ୱବ୍ୟାପୀ ୬୪ ପ୍ରତିଶତ ଜନସାଧାରଣ ସାମ୍ୱାଦିକମାନେ ଜାଣିଶୁଣି ମିଥ୍ୟା ପ୍ରଚାର କରୁଥିବା ହୃଦବୋଧ କରିଥାନ୍ତି । ସେହିଭଳି ୬୩ ପ୍ରତିଶତ ସରକାରୀ ପଦସ୍ଥ କର୍ମଚାରୀ ଓ ୬୧ ପ୍ରତିଶତ ବ୍ୟବସାୟୀ ନେତୃବର୍ଗ ଅସତ୍ୟ ପ୍ରସାରରେ ଲିପ୍ତଥିବା ଅଭିଯୋଗ ଆଣିଥାନ୍ତି । ସର୍ବେକ୍ଷଣ କରାଯାଇଥିବା ୨୮ ଗୋଟି ରାଷ୍ଟ୍ର ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଜାପାନ ସମେତ ୧୫ ଗୋଟି ରାଷ୍ଟ୍ରରେ ଗଣମାଧ୍ୟମ ଅବ୍ୟବସ୍ଥିତ ହୋଇପଡ଼ିଥିବା ମତ ପ୍ରକାଶ ପାଇଛି ।
ରାଜନୀତିଜ୍ଞ, ସରକାରୀ କର୍ମଚାରୀ ଓ ବ୍ୟବସାୟ ନେତୃବର୍ଗ ବିଭିନ୍ନ ସମସ୍ୟା ସଂପର୍କରେ ଜାଣିଶୁଣି ଅସତ୍ୟ କହୁଥିବା ଓ ମିଥ୍ୟା ପ୍ରତିଶୃତି ଦେଉଥିବା ସ୍ଥଳେ ଗଣମାଧ୍ୟମ ସେହି ତଥ୍ୟଗୁଡ଼ିକୁ ଜନସାଧାରଣରେ ପ୍ରସାର କରିଥାନ୍ତି । ଫଳରେ ବାଧ୍ୟବାଧକତାରେ ସାମ୍ୱାଦିକତା ଭୁଲ ରାସ୍ତାରେ ଯାଇଥାଏ । ରାଜନୀତିଜ୍ଞ, ସରକାରୀ କର୍ମଚାରୀ ଓ ବ୍ୟବସାୟ ନେତୃବର୍ଗଙ୍କୁ ଉପେକ୍ଷା କରି କିମ୍ୱା ସେମାନଙ୍କ ବକ୍ତବ୍ୟକୁ ସଦାସର୍ବଦା ସମୀକ୍ଷା କରିବା ଖୁବ କମ ସଂଖ୍ୟକ ଗଣମାଧ୍ୟମ ପକ୍ଷେ ସଂଭବପର । ଅଧିକାଂଶ କ୍ଷେତ୍ରରେ ପ୍ରଚଳିତ ବ୍ୟାବସାୟିକ ମଡ଼େଲରେ ଗଣମାଧ୍ୟମ ଏହି ତିନି ଶ୍ରେଣୀର କୃପା ପାର୍ଥୀ ହେଉଥିବା ହେତୁ ସ୍ୱାଧୀନ କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ସମର୍ଥ ହୋଇପାରି ନଥାନ୍ତି ।
ବିଶେଷଜ୍ଞମାନେ କୋଭିଡ଼ ମହାମାରୀ-ପର ଅବସ୍ଥାରେ ଗଣମାଧ୍ୟମ ବିଶ୍ୱସନୀୟତା ହରାଉଥିବା ଅବସରରେ ୨୦୨୪ ବର୍ଷକ ମଧ୍ୟରେ ଆନ୍ତର୍ଜାତିକସ୍ତରରେ ୫୦ ଗୋଟି ରାଷ୍ଟ୍ରରେ ନିର୍ବାଚ଼ନ ଆୟୋଜନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଗଣତନ୍ତ୍ରରେ ରାଜନୀତି ପରିଚାଳନାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହୁଥିବା ସ୍ଥଳେ ଗଣମାଧ୍ୟମ ବିଶ୍ୱସନୀୟତା ହରାଇଲେ ଭୋଟରମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବେ ଏବଂ ସମସ୍ୟାର ସମାଧାନ ନିମନ୍ତେ କିଭଳି ପଦକ୍ଷେପ ଗ୍ରହଣ କରାଯାଇପାରିବ ତାହା ଉଦବେଗର କାରଣ ପାଲଟିଛି ।
ଗଣମାଧ୍ୟମ ବିଶ୍ୱସନୀୟତା ପୁନଃ ପ୍ରତିଷ୍ଠା ଦିଗରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ହିଁ ଉଦ୍ୟମ କରିପାରିବେ । ଗଣମାଧ୍ୟମ ବୃତ୍ତିଗତ ସଂଗଠନ ଓ ସାମ୍ୱାଦିକତା ଶିକ୍ଷାନୁଷ୍ଠାନ ଏହି ଦିଗରେ ପରିବେଶ ସୃଷ୍ଟିରେ ସହାୟକ ହୋଇପାରିବେ । ନିୟମିତ ଭିତ୍ତିରେ ସର୍ବେକ୍ଷଣ ଅଭାବରେ ଗଣମାଧ୍ୟମ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ଗ୍ରହଣୟତା ସଂପର୍କରେ ଅବଗତ ନଥାନ୍ତି । ଏହି ପରିସ୍ଥିତି ଦୀର୍ଘ କାଳ ଧରି ବଳବତ୍ତର ରହିଲେ ଗଣମାଧ୍ୟମ ବ୍ୟବସାୟରେ ନକାରାତ୍ମକ ପ୍ରଭାବ ପଡ଼େ । ଅପରପକ୍ଷରେ ବିଶ୍ୱସନୀୟତା ହ୍ରାସ କାରଣରୁ ଉପଭୋକ୍ତା ସଂପୃକ୍ତ ମଞ୍ଚରୁ ଦୂରେଇ ଯାଆନ୍ତି ଏବଂ ସେମାନଙ୍କୁ ପୁଣି ଥରେ ଫେରାଇ ଆଣିବା ଦୁଃସାଧ୍ୟ ମନେହୁଏ ।
ଆନ୍ତର୍ଜାତିକସ୍ତରରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ଗଣମାଧ୍ୟମର ବିଶ୍ୱସନୀୟତା ହାନୀକୁ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ମଧ୍ୟଭାଗରୁ ଗୁରୁତ୍ୱ ଦିଆଯାଇଆସିଛି । ଗଣମାଧ୍ୟମ ବିଶ୍ୱସନୀୟତା ବିଷୟରେ ବେଞ୍ଜାମିନ ଟଫ ନାମକ ଜଣେ ଗବେଷକ ଦୁଇ ଜଣ ସହଯୋଗୀଙ୍କ ଉଦ୍ୟମରେ ‘ଏଭୋଇଡ଼ିଂ ଦି ନିଉଜ’ ନାମରେ ଏକ ପୁସ୍ତକ ୨୦୨୩ ଡ଼ିସେମ୍ୱର ମାସରେ ପ୍ରକାଶ କରିଛନ୍ତି । ଗବେଷଣା ନିମନ୍ତେ ଲେଖକଗଣ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ସ୍ପେନରେ ଗଣମାଧ୍ୟମ ମଞ୍ଚ ନେତୃବର୍ଗ, କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ ବହୁ ସଂଖ୍ୟକ ସାକ୍ଷାତକାର ଆୟୋଜନ କରିଥିଲେ । ସମସାମୟିକ ଗଣମାଧ୍ୟମ ବିମୁଖ ପରିବେଶ ସଂପର୍କରେ ପୁସ୍ତକରେ ବର୍ଣ୍ଣିତ କେତେକ ଟିପ୍ପଣୀ ଗୁରୁତ୍ୱ ବହନ କରେ ।
ପ୍ରଥମତଃ, ବହୁ କ୍ଷେତ୍ରରେ ଉପଭୋକ୍ତା ଗଣମାଧ୍ୟମରୁ ଦୂରେଇ ଯିବା ମୁଖ୍ୟ କାରଣ ସଂପୃକ୍ତ ମଞ୍ଚରେ ପରିବେଶିତ ଉପାଦାନ ‘କଣ୍ଟେଣ୍ଟ’ । ଉଦାହରଣରେ ପ୍ରତିଷ୍ଠିତ ସମ୍ୱାଦ ମଞ୍ଚଗୁଡ଼ିକ ପାଠକ, ଦର୍ଶକ ବା ଶ୍ରୋତା ହରାଉଥିବା ମୁଖ୍ୟ କାରଣ ରୂପେ ସମ୍ୱାଦକୁ ହିଁ ଚ଼ିହ୍ନଟ କରାଯାଇଥାଏ । ବହୁ ଉପଭୋକ୍ତା କହନ୍ତି ଯେ ସେମାନେ ସମ୍ୱାଦଠାରୁ ଦୂରେଇ ଯାଉ ନାହାନ୍ତି, ବରଂ ପ୍ରକାଶିତ ସମ୍ୱାଦ ସେମାନଙ୍କଠାରୁ ଦୂରେଇ ଯାଉଛି “ଇଟ ଇଜ ନଟ ମି, ଇଟ ଇଜ ନିଉସ” । ବହୁ ଗବେଷଣାରେ ଉପଭୋକ୍ତାମାନେ ସମ୍ୱାଦ ମଞ୍ଚଗୁଡ଼ିକରେ ପ୍ରକାଶିତ ସମ୍ୱାଦଗୁଡ଼ିକୁ ନକାରାତ୍ମକ, ଅନାବଶ୍ୟକ, ଦୁର୍ବୋଧ୍ୟ ଓ ଜନଜୀବନର ସମସ୍ୟା ସମାଧାନକୁ ଅଣଦେଖା କରୁଥିବା ଅଭିଯୋଗ କରିଥାନ୍ତି । ସମ୍ୱାଦ ବାସ୍ତବକ୍ଷେତ୍ରରେ ଅନୁଭୂତ ସମସ୍ୟାବଳୀ ଆଧାରିତ ନହେଲେ ତାହା ଉପଭୋକ୍ତାଙ୍କ ରୁଚ଼ିକୁ ସୁହାଇନଥାଏ ।
ଦ୍ୱିତୀୟତଃ, ଅଧ୍ୟୟନରୁ ଜଣାଯାଏ ଯେ ପ୍ରତ୍ୟେକ ବ୍ୟକ୍ତିର ସାମାଜିକ ସଂପୃକ୍ତି ତାହାର ଗଣମାଧ୍ୟମ ଅଭ୍ୟାସରେ ପ୍ରତିଫଳିତ । ଉଦାହରଣରେ ଯେଉଁମାନେ ସାମାଜିକ କାର୍ଯ୍ୟକ୍ରମ ସହ ସଂପୃକ୍ତ ସେମାନଙ୍କ ସମ୍ୱାଦ ଆହରଣ ପରିମାଣ ଅଧିକ । ଜନଜୀବନରେ ସମ୍ୱାଦ ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ‘ସମ୍ୱାଦ ଉପଭୋକ୍ତା ମଞ୍ଚ’ ଗଠନ ଅନିବାର୍ଯ୍ୟ । ଅତୀତର ବିଭିନ୍ନ କାରଣ ପରିଣାମରେ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟି ହୋଇଥିବା ସ୍ଥଳେ ଅତୀତକୁ ଫେରି ସେହି ଭୂଲଭଟ୍ଟକା ସୁଧାରିବା ସଂଭବ ନୁହେ, କିନ୍ତୁ ପାଠକ ସଂଗଠନ ଜରିଆରେ ସମ୍ୱାଦ ପ୍ରତି ରୁଚ଼ିକୁ ଶାଣିତ କରିବା ଉଦ୍ୟମ ଫଳବତୀ ହୋଇପାରେ । ଗଣମାଧ୍ୟମରେ ପ୍ରକାଶକ ପ୍ରାଧାନ୍ୟ ଯୁଗ ଶେଷ ହୋଇଛି । ଉପଭୋକ୍ତାଙ୍କ ରୁଚ଼ି ଅନୁଯାୟୀ ଉପାଦାନ ପ୍ରସ୍ତୁତ ନ ହୋଇପାରିଲେ ଗଣମାଧ୍ୟମ ବିମୁଖ ପରିବେଶ ସୃଷ୍ଟି ହୋଇଥାଏ । “ଉଇ ପବ୍ଳିଶ, ୟୁ ରିଡ଼” ଆଭିମୁଖ୍ୟ ଇତିହାସ ଗର୍ଭରେ ଲୀନ ହୋଇଯାଇଥିବା ବିଶ୍ୱାସ କରିବାକୁ ହେବ ।
ତୃତୀୟତଃ, ଗଣମାଧ୍ୟମ ଉପାଦାନ ମୁଖ୍ୟତଃ ସମ୍ୱାଦ ପରିବେଷଣ ଶୈଳୀର ଉପଭୋକ୍ତା ଗ୍ରହଣୀୟତା ଉପରେ ନିର୍ଭରଶୀଳ । ଉଦାହରଣରେ ମୁଦ୍ରିତ ସମ୍ୱାଦପତ୍ରରେ ନିର୍ବାଚ଼ିତ ସଂଖ୍ୟକ ସମ୍ୱାଦର ସାରାଂଶ ପ୍ରଥମ ପୃଷ୍ଠାରେ ସଂକ୍ଷିପ୍ତ ଆକାରରେ ପ୍ରକାଶକରି ଭିତର ପୃଷ୍ଠାଗୁଡିକରେ ବିସ୍ତୃତ ବିବରଣୀ ପ୍ରକାଶକୁ ଏକ ମଡ଼େଲ ଭାବେ ଗ୍ରହଣ କରାଯାଇପାରେ । ଫଳରେ ସମୟ ଅଭାବରେ ଜଣେ ପାଠକ ସଂକ୍ଷିପ୍ତ ସମ୍ୱାଦ ପଢ଼ିପାରିବ କିମ୍ୱା ସଂକ୍ଷିପ୍ତ ସମ୍ୱାଦ ପଢ଼ିବାପରେ ନିର୍ଦ୍ଦିଷ୍ଟ ସମ୍ୱାଦ ସଂପର୍କରେ ବିସ୍ତୃତ ବିବରଣୀ ଜାଣିବାଲାଗି ଭିତର ପୃଷ୍ଠାକୁ ଯାଇପାରିବ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ପ୍ରତ୍ୟେକ ମଞ୍ଚ ନିଜ ବିଶେଷତ୍ୱ ଜାହିର କରିବା ସମୟ ଉପନୀତ । ସୋସିଆଲ ମିଡ଼ିଆରୁ ଚଳନ୍ତି ସମ୍ୱାଦ ପ୍ରବାହ ଜ୍ଞାତ ହେବାପରେ ସମ୍ୱାଦର ବିସ୍ତୃତ ବିବରଣୀ, ପୃଷ୍ଠଭୂମି ଓ ଅଭିମତ ସନ୍ଧାନରେ ପାଠକ ୱେବସାଇଟ ବା ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାକୁ ଯାଇଥାନ୍ତି ।
ଚତୁର୍ଥତଃ, ଗଣମାଧ୍ୟମ ସାକ୍ଷରତା ସମ୍ୱାଦ ପରିବେଷଣରେ ସ୍ୱଚ୍ଛତା ବୃଦ୍ଧି ଓ ସମ୍ୱାଦବିମୁଖ ପରିବେଶ ହ୍ରାସରେ ସହାୟକ ହୋଇଥାଏ । ଗଣମାଧ୍ୟମ ମଞ୍ଚ ଗୁଡ଼ିକ ପକ୍ଷରୁ ଏଦିଗରେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇପାରିଲେ ଦୀର୍ଘ-ମିଆଦୀ ସୁଫଳ ମିଳିଥାଏ । ସମ୍ୱାଦ ମଞ୍ଚଗୁଡ଼ିକର ପ୍ରାସଙ୍ଗିକତା ଓ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସଂପର୍କରେ ସାର୍ବଜନୀନ ପ୍ରଚାର ଓ ପ୍ରସାର ଅପରିହାର୍ଯ୍ୟ ହୋଇପଡ଼ିଛି । ଏହି ଦିଗରେ ଗଣମାଧ୍ୟମ ମଞ୍ଚଗୁଡ଼ିକର ସାମୂହିକ ଉଦ୍ୟମ ଆବଶ୍ୟକ ।
ପଞ୍ଚମତଃ, ସାମ୍ୱାଦିକତାର ନୈତିକ ପୃଷ୍ଠଭୂମିର ସୁରକ୍ଷା ଓ ଗୁଣବତ୍ତା ବିକାଶ ସମ୍ୱାଦ ବିମୁଖ ପରିବେଶ ପ୍ରଶମନ ଓ ବିଶ୍ୱସନୀୟତା ବୃଦ୍ଧିରେ ସହାୟକ ହୋଇପାରେ । ଏହି ଦିଗରେ ସାମ୍ୱାଦିକତା ବୃତ୍ତିଭିତ୍ତିକ ସଂଗଠନ ଓ ସାମ୍ୱାଦିକତା ଶିକ୍ଷାନୁଷ୍ଠାନ ଗୁଡ଼ିକର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । କୁହାଯାଉଛି ଯେ ଯଦି ସାମ୍ୱାଦିକତା ସର୍ବସାଧାରଣ ହିତ ଲାଗି ଅଭିପ୍ରେତ, ତେବେ ଜନସାଧାରଣ ସାମ୍ୱାଦିକତାର ସୁରକ୍ଷା ଦିଗରେ ଯୋଜନାବଦ୍ଧ ଉଦ୍ୟମରେ ସାମିଲ ହେବା ବିଧେୟ । ସେହିପରି ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟ ସମ୍ୱାଦ ସଂଗ୍ରହ, ରଚନା, ସମ୍ପାଦନା, ବିତରଣ ଓ ବ୍ୟାବସାୟିକ ଦିଗ ସଂପର୍କରେ ସର୍ବସାଧାରଣରେ ଆଲୋଚ଼ନା କରିବା ଆବଶ୍ୟକ । ଫଳରେ ସମ୍ୱାଦ ମଞ୍ଚ ପ୍ରତି ନାଗରିକଙ୍କ ସଂପୃକ୍ତି ଓ ଭାଗିଦାରୀ ବୃଦ୍ଧି ପାଇବ । ସମ୍ୱାଦଶିଳ୍ପ ବ୍ୟାବସାୟିକ ଦିଗରୁ ଦୁର୍ଦ୍ଦଶାଗ୍ରସ୍ତ ହୋଇଥିବା ଅବସରରେ ସମ୍ୱାଦ ବିମୁଖ ପରିବେଶରୁ ମୁକ୍ତି ଓ ବିଶ୍ୱସନୀୟତା ବୃଦ୍ଧିଲାଗି ସଚ଼େତନ ହେବା ସମୟ ଉପନୀତ । ସମସ୍ୟାର ସାମୟିକ ସମାଧାନ ବଦଳରେ ଉପଭୋକ୍ତା ସଶକ୍ତ ପରିବେଶରେ ସ୍ୱାବଲମ୍ୱୀ ଅର୍ଥନୀତି ଗଢ଼ି ତୋଳିବା ବିଜ୍ଞତାର ପରିଚୟ । ଅବଶ୍ୟ ଏହି ପଦକ୍ଷେପଗୁଡ଼ିକ ସମୟସାପେକ୍ଷ ।