ସାମ୍ୱାଦିକତା ବୃତ୍ତିଧାରୀଙ୍କ ଏଆଇ ତାଲିମ
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାମ୍ୱାଦିକତା ପତ୍ରାଂଶ
ସାମ୍ୱାଦିକତା ବୃତ୍ତିଧାରୀଙ୍କ ଏଆଇ ତାଲିମ
(ପଠନ ଅବଧି : ୫ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୩୮ / ବ୍ରହ୍ମପୁର, ୯ ଫେବୃୟାରୀ ୨୦୨୪
ସୃଜନ କୃତ୍ରିମ ବୁଦ୍ଧିମତ୍ତା ‘ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଲୋକାର୍ପଣର ବର୍ଷକ ପରେ ଏହି ପ୍ରଯୁକ୍ତି କୌଶଳର ପ୍ରଭାବ ସଂପର୍କରେ ୨୦୨୪ ଆରମ୍ଭ ସୁଦ୍ଧା ବ୍ୟାପକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ‘ଚାଟ-ଜିପିଟି’କୁ ଅନୁସରଣ କରି ଗୁଗୁଲ-ବାର୍ଡ, ବିଙ୍ଗ-ଚାଟ, କ୍ଳାଉଡ଼-ଏଲଏଲଏମ ମାଗଣାରେ ଏବଂ ଜସପେର ଗ୍ରାହକ ଚାନ୍ଦା ମାଧ୍ୟମରେ ସର୍ବସାଧାରଣରେ ଉପଲବ୍ଧ ।
ଏତଦ୍ ବ୍ୟତୀତ ବୃତ୍ତିଗତ ବ୍ୟବହାର ନିମନ୍ତେ ଏଡ଼ୋବ ଫାୟାରଫ୍ଳାଇ, ଡ଼େଲ-ଇ୨, ମିଡ଼ଜର୍ଣ୍ଣି, ବ୍ଳୁମବର୍ଗ-ଜିପିଟି, ବେଡ଼ରକ, ସେଲ୍ସଫୋର୍ସ-ଆଇନଷ୍ଟାଇନ-ଜିପିଟି, ରିଟ୍ରେନ-ଏଆଇ, ସାଉଣ୍ଡବାଇଟ-ଏଆଇ, ଏଇଟଫୋଇଡ଼-ଏଆଇ, ଏଚଆର-ସିଗନାଲ, ଗ୍ରାମାରଲି-ଗୋ, ଟୋମ, ମାଇକ୍ରୋସଫଟ-୩୬୫-କୋ-ପାଇଲଟ, ସ୍ଳାକ-ଜିପିଟି ଭଳି ମଞ୍ଚ ମଧ୍ୟ ଉପଲବ୍ଧ । ବିଶେଷଜ୍ଞମାନଙ୍କ ମତରେ ସୃଜନ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୃତ୍ତିଗତ ଜୀବନରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିବ । ଏହି ପରିବର୍ତ୍ତନର ସମ୍ମୁଖ ଧାଡ଼ିରେ ସାମ୍ୱାଦିକତା ସ୍ଥାନିତ ।
‘ଚାଟ-ଜିପିଟି’ ଭଳି ବୃହତ ଭାଷା ଶୃଙ୍ଖଳ ‘ଲାର୍ଜ ଲାଙ୍ଗୁଏଜ ମଡ଼େଲ’ ସାମ୍ୱାଦିକତା କ୍ଷେତ୍ରରେ ସମ୍ୱାଦ ରଚନା ନିମନ୍ତେ ତଥ୍ୟଗତ ଗବେଷଣା ‘କଣ୍ଟେଣ୍ଟ ରିସର୍ଚ୍ଚ’, ଅନୁଶୀଳନ ‘ଜେନେରେଟିଂ ଆଇଡ଼ିଆସ’, ସମ୍ୱାଦ ଲିଖନ ‘ଡ୍ରାଫଟିଂ ଆର୍ଟିକଲ’, ସାରାଂଶ ପ୍ରସ୍ତୁତି ‘ସମରାଇଜିଂ ଇନଫରମେସନ’ ଇତ୍ୟାଦିରେ ସହାୟତା ଯୋଗାଇ ପାରିବ । ସମ୍ୱାଦ ରଚନା ନିମନ୍ତେ ସାକ୍ଷାତକାର ମାଧ୍ୟମରେ ତଥ୍ୟ ଓ ଅଭିମତ ସଂଗ୍ରହ ପୃଷ୍ଠଭୂମି ପ୍ରସ୍ତୁତି ‘ପ୍ରୋଭାଇଡ଼ିଂ ବେକଗ୍ରାଉଣ୍ଡ ଇନଫରମେସନ’ ମଧ୍ୟ ସଂଭବ । ସାଧାରଣରେ ଏହି ସବୁ କାର୍ଯ୍ୟ ସମ୍ପାଦନ ଲାଗି ସାମ୍ୱାଦିକମାନେ ବହୁ ସମୟ ବିନିଯୋଗ କରୁଥିବା ସ୍ଥଳେ ପ୍ରଯୁକ୍ତି କୌଶଳ କ୍ଷଣିକ ମଧ୍ୟରେ ଗୁଣାତ୍ମକ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତିରେ ସଫଳ ।
ସୃଜନ କୃତ୍ରିମ ବୁଦ୍ଧିମତ୍ତା କ୍ରମବିକଶିତ ‘ଇଭଲଭିଂ’ ଅବସ୍ଥାରେ ଥିବା ହେତୁ ଏହାର ଉପଯୋଗରେ ସାମ୍ୱାଦିକତାର ସମ୍ଭାବ୍ୟ ରୂପାନ୍ତରଣ ସଂପର୍କରେ ସଠିକ ପୂର୍ବାନୁମାନ କଷ୍ଟସାଧ୍ୟ । କେତେକ ବିଶେଷଜ୍ଞ କହୁଛନ୍ତି ଯେ ୨୦୩୦ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ୮୫ ପ୍ରତିଶତ କର୍ମନିଯୁକ୍ତିର ରୂପରେଖ ୨୦୨୪ ସୁଦ୍ଧା ସ୍ଥିର କରାଯାଇପାରୁନାହିଁ । ଏହି ପ୍ରଯୁକ୍ତି କୌଶଳ ୨୦୨୩ରେ ପ୍ରତି ଛଅ ମାସରେ ଦ୍ୱିଗୁଣିତ ବିକଶିତ ହୋଇଥିବା ହିସାବ କରାଯାଉଥିବା ହେତୁ ଦୀର୍ଘକାଳୀନ ଆକଳନ ଅମୀମାଂସିତ ରହିଥାଏ ।
ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ସାମ୍ୱାଦିକତା ବ୍ୟାବସାୟିକ, ବିଶ୍ୱସନୀୟତା ଓ ସମ୍ୱାଦ ପ୍ରସାରଣରେ ପ୍ରଭୂତ୍ୱହାନୀ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା କାରଣରୁ ବୃତ୍ତିଧାରୀ ସାମ୍ୱାଦିକମାନେ ଭରାକ୍ରାନ୍ତ । ଏହି ପରିବେଶରେ ସାମ୍ୱାଦିକତା ବୃତ୍ତି ସମ୍ପାଦନ ନିମନ୍ତେ ନୂତନ ପ୍ରଯୁକ୍ତି କୌଶଳ ଉପଯୋଗ ପୁଣି ଏକ ନୂତନ ସମସ୍ୟା । ଆନ୍ତର୍ଜାତିକସ୍ତରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସାତ ଦଶକରେ ସାମ୍ୱାଦିକତା ବହୁ କାରିଗରୀ କୌଶଳ ପରିବର୍ତ୍ତନର ସାମ୍ନା କରିଛି । ନୂତନ ପ୍ରଯୁକ୍ତି କୌଶଳ ଆୟତ୍ତ ନକରିପାରିଲେ ସାମ୍ୱାଦିକମାନେ ବ୍ୟକ୍ତିଗତସ୍ତରରେ ଅଲୋଡ଼ା ହୋଇପଡ଼ିବା ଆଶଙ୍କା ସଂପର୍କରେ ସମସ୍ତେ ସଚ଼େତନ । ତେବେ କ୍ରମବିକଶିତ ସୃଜନ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗାତ୍ମକ ଦିଗ ସଂପର୍କରେ ଓଡ଼ିଆ-ଭାଷୀ ସାମ୍ୱାଦିକମାନେ କିପରି ଅବଗତ ହୋଇପାରିବେ ସେହି ସଂପର୍କରେ ଆଲୋଚ଼ନା ସମୟପଯୋଗୀ ବିଚାର କରାଯାଇପାରେ ।
‘ଚାଟ-ଜିପିଟି’ ଭଳି ବାର୍ଡ, ବିଙ୍ଗ, କ୍ଳାଉଡ଼ ଏଣ୍ଡ୍ରୋଏଡ଼-ଭିତ୍ତିକ କମ୍ପ୍ୟୁଟିଂ-ଉପକରଣରେ ବ୍ୟବହାର ନିମନ୍ତେ ମାଗଣା ଆପ୍ଳିକେସନ ରୂପେ ଉପଲବ୍ଧ । ଏକପକ୍ଷରେ ମାନବ ସଭ୍ୟତା ଇତିହାସରେ ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗ ପ୍ରଥମ ଥର ପାଇଁ ସମସ୍ତଙ୍କ ବ୍ୟବହାରଲାଗି ଏକ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ହୋଇପାରିଛି । ଅପରପକ୍ଷରେ ପୂର୍ବ ପ୍ରଚଳିତ ପ୍ରଯୁକ୍ତି କୌଶଳ ଆୟତ୍ତ କରିବା ନିମନ୍ତେ ବ୍ୟାପକ ତାଲିମ ବ୍ୟବସ୍ଥା ହୋଇଥିବା ସ୍ଥଳେ ବୃହତ୍ତ ଭାଷା ଶୃଙ୍ଖଳ ବ୍ୟବହାର ଶିଖିବା ଲାଗି କୌଣସି ବିଧିବଦ୍ଧ ବ୍ୟବସ୍ଥାର ଆବଶ୍ୟକତା ନାହିଁ । ‘ଚାଟ-ଜିପିଟି’ ଏକ ଚାଟ-ବଟ ଏବଂ ଏହାକୁ ପ୍ରଶ୍ନ କଲେ, ନିର୍ଦ୍ଦେଶ ଦେଲେ ତଦ୍ ଅନୁରୂପ ଉପାଦାନ ସୃଷ୍ଟି କରିଥାଏ । ତେଣୁ ‘ଚାଟ-ଜିପିଟି’କୁ କିପରି ପ୍ରଶ୍ନ କରାଯାଇପାରିବ ବା ନିର୍ଦ୍ଦେଶ ଦିଆଯାଇ ପାରିବ ତାହା ବ୍ୟକ୍ତିଗତସ୍ତରରେ ଅଭ୍ୟାସ ମାଧ୍ୟମରେ ହିଁ ଶିଖିବାକୁ ପଡ଼ିଥାଏ ।
ଉପରୋକ୍ତ ତିନିଗୋଟି ବୈଶିଷ୍ଠ୍ୟ ଅନ୍ୟ ପ୍ରଯୁକ୍ତି କୌଶଳ କ୍ଷେତ୍ରରେ ବିରଳ । ‘ଚାଟ-ଜିପିଟି’ ଅଭ୍ୟାସ କରିବା ନିମନ୍ତେ ସାମ୍ୱାଦିକମାନେ କ’ଣ ସବୁ ପଦକ୍ଷେପ ନେବା ଉଚ଼ିତ ସେ ସଂପର୍କରେ ‘ଚାଟ-ଜିପିଟି’କୁ ହିଁ ପ୍ରଶ୍ନ କରାଯାଇଥିଲା । ‘ଚାଟ-ଜିପିଟି’ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ପ୍ରଥମତଃ, ଏହି ମଡ଼େଲ ସଂପର୍କରେ ପରିଚ଼ିତ ହେବା ଲାଗି ଏହାକୁ ବିଭିନ୍ନ ପ୍ରଶ୍ନ ପଚାରିବା, ନିର୍ଦ୍ଦେଶ ଦେବା ‘ପ୍ରମ୍ପଟ’ ଅଭ୍ୟାସ ପ୍ରାଥମିକ ପଦକ୍ଷେପ । ଦ୍ୱିତୀୟତଃ, ଏହାର ଉପଯୋଗରେ ରଚନା ଲିଖନ ଓ ସାରାଂଶ ପ୍ରସ୍ତୁତି କରିବା ଉଚ଼ିତ । ତୃତୀୟତଃ, ବିଭିନ୍ନ ସୃଜନ କୃତ୍ରିମ ବୁଦ୍ଧିମତ୍ତା ମଞ୍ଚ ଏବଂ କ୍ରମବିକଶିତ ଧାରା ସଂପର୍କରେ ଉପଲବ୍ଧ ରଚନାବଳୀ ଅଧ୍ୟୟନ ଆବଶ୍ୟକ ।
ବୃହତ୍ତ ଭାଷା ଶୃଙ୍ଖଳ ବ୍ୟବହାର ସଂପର୍କରେ ବହୁ ବ୍ୟକ୍ତି ନିଜର ଅଭିଜ୍ଞତା ଟ୍ୟୁଟୋରିଆଲ ଆକାରରେ ବିଭିନ୍ନ ମଞ୍ଚରେ ପୋଷ୍ଟ କରିଥାନ୍ତି । ଏତଦ୍ ବ୍ୟତୀତ ‘ଜର୍ଣ୍ଣାଲିଜମ-ଏଆଇ’ ଭଳି କେତେକ ୱେବସାଇଟରେ କେସ ଷ୍ଟଡ଼ିଜ ଉପସ୍ଥାପନା ପ୍ରଯୁକ୍ତି କୌଶଳକୁ ବୁଝିବାରେ ସହାୟକ ହୋଇଥାଏ । ଅନ୍ୟମାନଙ୍କ ଅନୁଭୂତି ଓ ଉପଲବ୍ଧି ଆଧାରରେ ନିଜେ ‘ପ୍ରମ୍ପଟ’ ପ୍ରସ୍ତୁତ କରିବା ଶିଖିପାରିଲେ ପ୍ରଯୁକ୍ତି କୌଶଳକୁ ଆୟତ୍ତ କରିବା ସହଜ । ‘ଓପନ-ଏଆଇ-ବ୍ଳଗ’ ଓ ‘ମିଡ଼ିୟମ’ ମଞ୍ଚରେ ଅଧ୍ୟୟନଲାଗି ଉପାଦାନ ସଂଗ୍ରହ କରିହୁଏ ।
‘ଚାଟ-ଜିପିଟି’ ଭାଷାରେ ଏହି ପ୍ରଯୁକ୍ତି କୌଶଳର ସଫଳ ବ୍ୟବହାର ୯୦ ପ୍ରତିଶତ ଉପଯୁକ୍ତ ‘ପ୍ରମ୍ପଟ’ ଉପରେ ନିର୍ଭର କରେ । କୌଣସି ବିଷୟରେ ଅଧିକ ଜାଣିବା ନିମନ୍ତେ ‘ପ୍ରମ୍ପଟ’ ଉକ୍ତ ବ୍ୟକ୍ତିଙ୍କ ସଂପୃକ୍ତ ବିଷୟରେ ଜ୍ଞାନ ଅନୁଯାୟୀ ପରିଚାଳିତ । ଏଥି ନିମନ୍ତେ ଗଭୀର ଅଧ୍ୟୟନ ଓ ଅନୁଶୀଳନ ସହାୟକ । ସ୍ଥୁଳ ରୂପରେ ବୁଝାଇ କହିଲେ, ‘ଚାଟ-ଜିପିଟି’ ଭଳି ବୃହତ୍ତ ଭାଷା ଶୃଙ୍ଖଳଗୁଡ଼ିକ ବିପୁଳ ସଂଖ୍ୟକ ପୂର୍ବ ପ୍ରକାଶିତ ରଚନା ସଂସ୍ପର୍ଶରେ ତାଲିମପ୍ରାପ୍ତ ‘ଟ୍ରେନଡ଼’ । କୌଣସି ବିଷୟରେ ପ୍ରଶ୍ନ ପଚାରିବା ଅବସରରେ ସେହି ‘ପ୍ରମ୍ପଟ’ର ଶବ୍ଦବିନ୍ୟାସ ଅନୁକରଣରେ ମଡ଼େଲଟି ପୂର୍ବ ପରିଚ଼ିତ ପ୍ରକାଶିତ ରଚ଼ନାରୁ ଉଦ୍ଧାର କରିଥାଏ । ଏହିକାରଣରୁ ଗୁଣାତ୍ମକ ଉପାଦାନ ପ୍ରସ୍ତୁତି ନିମନ୍ତେ ଗୁଣାତ୍ମକ ‘ପ୍ରମ୍ପଟ’ ଆବଶ୍ୟକ ଏବଂ ‘ପ୍ରମ୍ପଟ’ ରଚନା ଲାଗି ଅଭ୍ୟାସ ଆବଶ୍ୟକ । ଏହି କ୍ଷେତ୍ରରେ ଅଭ୍ୟାସକୁ ହିଁ ତାଲିମ ବିଚାର କରାଯାଇପାରେ ।
ଜାନୁୟାରୀ ୨୦୨୪ ପରାର୍ଦ୍ଧରେ ‘ୱାର୍ଲଡ଼ ଏସୋସିଏସନ ଅଫ ନିଉଜପେପର୍ସ ଏଣ୍ଡ ନିଉଜ ପବ୍ଳିଶର୍ସ’ (ୱାନ-ଇଫରା) ପକ୍ଷରୁ ‘ୱର୍ଲଡ଼ ପ୍ରେସ ଟ୍ରେଣ୍ଡସ ରିପୋର୍ଟ ୨୦୨୪’ ପ୍ରକାଶ ପାଇଥିଲା । ବିଶ୍ୱବ୍ୟାପୀ ୬୦ ଗୋଟି ରାଷ୍ଟ୍ରର ୧୭୫ ଜଣ ସମ୍ୱାଦପତ୍ର ଓ ସମ୍ୱାଦ ମଞ୍ଚର ପ୍ରମୁଖ କର୍ମକର୍ତ୍ତାଙ୍କଠାରୁ ସଂଗୃହୀତ ତଥ୍ୟ ଏହି ବିବରଣୀରେ ସନ୍ନିବଶିତ । ଦର୍ଶାଯାଇଛି ଯେ ୮୭ ପ୍ରତିଶତ ସମ୍ୱାଦ ସଂସ୍ଥା କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ କରିବା ନିମନ୍ତେ ପ୍ରସ୍ତୁତ । ତେବେ ୭୨ ପ୍ରତିଶତ ଏଦିଗରେ ବିଧିବଦ୍ଧ ଯୋଜନା ୨୦୨୩ ଶେଷ ସୁଦ୍ଧା ପ୍ରସ୍ତୁତ କରିପାରି ନାହାନ୍ତି । ଫଳରେ ୨୦୨୪ରେ ଏହି ନୂତନ ପ୍ରଯୁକ୍ତି କୌଶଳ ବ୍ୟବହାର ହେବା ସଂଭବ ନଥିଲେ ହେଁ ପରବର୍ତ୍ତୀ ବର୍ଷଗୁଡ଼ିକରେ ବ୍ୟାପକ ପ୍ରସାର ନିଶ୍ଚିତ । ସୃଜନ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର ପଦ୍ଧତି, ଜ୍ଞାନ-କୌଶଳ ଓ ଦୃତ ବୈଷୟିକ ପରିବର୍ତ୍ତନ ସଂପର୍କରେ ସୀମିତ ଜ୍ଞାନ ଅନ୍ତରାୟ ସାଜୁଥିବା କୁହାଯାଉଛି । ସୃଜନ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ସାମୂହିକ ସମସ୍ୟା ଘେରରେ ସାମ୍ୱାଦିକମାନେ ବ୍ୟକ୍ତିଗତସ୍ତରରେ ନୂତନ ପ୍ରଯୁକ୍ତି କୌଶଳ ସହ ପରିଚ଼ିତ ହେବା ବିଭିନ୍ନ ଦିଗରୁ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଏ ।