ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତି
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାମ୍ୱାଦିକତା ପତ୍ରାଂଶ
ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତି
(ପଠନ ଅବଧି : ୫ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୪୬ / ବ୍ରହ୍ମପୁର, ୫ ଏପ୍ରିଲ ୨୦୨୪
ଗଣମାଧ୍ୟମ ପରିବେଶରେ ଯେକୌଣସି ସୃଜନ ପ୍ରକାଶିତ ହେବା ପୂର୍ବରୁ ବିଭିନ୍ନ ସ୍ତରରେ ସମ୍ପାଦିତ ହୋଇଥାଏ । ଉଦାହରଣରେ ସମ୍ୱାଦପତ୍ରରେ ପ୍ରକାଶନ ନିମନ୍ତେ ସାମ୍ୱାଦିକ ସମ୍ୱାଦ ରଚନା କରି ଉପସ୍ଥାପିତ କରିବା ପରେ ସମ୍ୱାଦପତ୍ର ପ୍ରକାଶନ ସଂସ୍ଥାରେ ନିଯୁକ୍ତ ଏକାଧିକ ସମ୍ପାଦକଙ୍କ ସମ୍ପାଦନା ମଧ୍ୟ ଦେଇ ଗତି କରିଥାଏ । ସମ୍ୱାଦ ପ୍ରକାଶନ ଯୋଗ୍ୟତା ପରିମାପ ନିମନ୍ତେ ପ୍ରକାଶକ, ସମ୍ପାଦକ କିମ୍ୱା ସମ୍ପାଦକ ମଣ୍ଡଳୀଙ୍କ ଦ୍ୱାରା ନୀତି ନିର୍ଦ୍ଧାରିତ । ସାମାଜିକ ତଥା ରାଜନୀତିକ କ୍ଷେତ୍ରରେ ଘୋଷିତ ନିର୍ଦ୍ଦେଶାବଳୀ ସମ୍ପାଦନା ଶୈଳୀକୁ ପ୍ରଭାବିତ କରେ । ତେବେ ସ୍ଥଳବିଶେଷରେ କୌଣସି ବାହ୍ୟ କଟକଣା କିମ୍ୱା ଆଇନ ପ୍ରଚଳିତ ନଥିବା ସତ୍ତ୍ୱେ ସାମ୍ୱାଦିକମାନେ ବେଳେ ବେଳେ କେତେକ ବିଷୟରେ ସମ୍ୱାଦ ରଚନାରୁ ବିରତ ରହନ୍ତି । ଏହି ବ୍ୟକ୍ତିଗତ ନିଷ୍ପତ୍ତିକୁ ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତି ‘ସେଲଫ ସେନସରସିପ’ କୁହାଯାଏ ।
ଏକବିଂଶ ଶତାଦ୍ଦୀ ଆରମ୍ଭରେ ବୈଷୟିକ ପ୍ରଗତି ଯୋଗାଯୋଗ କ୍ଷେତ୍ରରେ ଯୁଗାନ୍ତକାରୀ ପ୍ରଭାବ ଆଣି ଥିବା, ଇଣ୍ଟରନେଟ ନେଟୱାର୍କ ସମଗ୍ର ବିଶ୍ୱକୁ ଏକ ଗ୍ରାମରେ ‘ଗ୍ଳୋବାଲ ଭିଲେଜ’ ପରିଣତ ସ୍ୱପ୍ନକୁ ସାକାର କରିଥିବା ଅବସରରେ ଅଧିକରୁ ଅଧିକ ସଂଖ୍ୟକ ସାମ୍ୱାଦିକ, ଲେଖକ, ଚିନ୍ତକ ଓ ରାଜନୀତିକ କର୍ମୀ ସଙ୍କୁଚିତ ଅଭିବ୍ୟକ୍ତିକୁ ଅଗ୍ରାଧୀକାର ଦେଉଥିବା ଉଦବେଗର କାରଣ ପାଲଟିଛି । ମୁଖ୍ୟତଃ, କୋଭିଡ଼-୧୯ ମହାମାରୀ-ପର ପରିବେଶରେ ବିଶ୍ୱବ୍ୟାପୀ ରାଜନୀତିକ ଧୃବୀକରଣ ‘ପୋଲରାଇଜେସନ’ ଏବଂ ଏକଛତ୍ର ଶାସନ ‘ଆଟୋକ୍ରେଟିକ ରୁଲ’ ପ୍ରବାହ ଅଭିବ୍ୟକ୍ତିରେ ଆତ୍ମ-ସମ୍ପାଦନର ମୌଳିକ କାରଣ ରୂପେ ବିଶେଷଜ୍ଞମାନେ ଚ଼ିହ୍ନଟ କରୁଛନ୍ତି ।
ପ୍ରଥମତଃ, ଏକଛତ୍ରବାଦୀ ଶାସନରେ ସମାଲୋଚନାକୁ ନିରୁତ୍ସାହିତ କରାଯାଉଥିବା ହେତୁ ସମାଜରେ ସଙ୍କୁଚ଼ିତ ଅଭିବ୍ୟକ୍ତି ଧାରା ବାଧ୍ୟବାଧକତାରେ ବୃଦ୍ଧି ପାଇଥାଏ । ଦ୍ୱିତୀୟତଃ, ସଂଭାବ୍ୟ ବିପଦ ଆଶଙ୍କାରେ ସାଧାରଣ ନାଗରିକ ସୂଚ଼ନା ପ୍ରସାରଣ ଓ ଅଭିମତ ବ୍ୟକ୍ତରୁ ବିରତ ରହନ୍ତି । ତୃତୀୟତଃ, କୌଣସି ବିଧିବଦ୍ଧ ନୀତିନିୟମ ପ୍ରଣୀତ ନହୋଇଥିଲେ ସୁଦ୍ଧା ସୂଚ଼ନା ପ୍ରସାରଣର ଧାରା ବ୍ୟାହତ ହୋଇଥାଏ । କେବଳ ଉନ୍ନତ ଗଣମାଧ୍ୟମ ମଞ୍ଚର ଉପସ୍ଥିତି ଯୋଗାଯୋଗ ପ୍ରକ୍ରିୟା ସୁନିଶ୍ଚିତ କରିପାରେ ନାହିଁ । ମୁକ୍ତ ଓ ଗୁଣାତ୍ମକ ସାମ୍ୱାଦିକତା ହିଁ ଲୋକହିତରେ ପର୍ଯ୍ୟବସିତ ।
ସ୍ୱେଚ୍ଛାକୃତ ଓ ଉଦ୍ଦେଶ୍ୟ-ପ୍ରଣୋଦିତ ଭାବେ ସୂଚ଼ନା ଓ ସମ୍ୱାଦ ପରିବେଷଣରୁ ନିବୃତ ରହିବା ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତିର ଦୁଇ ପ୍ରମୁଖ ଲକ୍ଷଣ । ଏତଦ୍ୱାରା ଗଣତାନ୍ତ୍ରିକ ସାମାଜିକ ବ୍ୟବସ୍ଥାରେ ସୂଚ଼ନା ଓ ସମ୍ୱାଦ ସରବରାହ ବ୍ୟାହତ ହୋଇଥାଏ ଏବଂ ଏହି ପରିବେଶ ଗଣତନ୍ତ୍ରର ବିରୁଦ୍ଧାଚରଣ କରିଥାଏ । ସୂଚନା ଓ ସମ୍ୱାଦ ପ୍ରସାର ନାଗରିକଙ୍କୁ ବିଭିନ୍ନ ଘଟଣା ପ୍ରବାହ ଅବଗତ କରାଇ ପ୍ରକୃଷ୍ଟ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ନିଷ୍ପତି ନେବାରେ ସହାୟକ । ଏହାର ଅଭାବ ଅରାଜକତା ପ୍ରସାରକୁ ଉତ୍ସାହିତ କରେ ।
ବିଭିନ୍ନ କାରଣରୁ ସାଧାରଣ ନାଗରିକ ମୁକ୍ତ ଅଭିବ୍ୟକ୍ତିରୁ ଦୂରେଇ ଯାଇଥାଏ । ସୂଚ଼ନା ଓ ସମ୍ୱାଦ ନିଜ ପରିବାରବର୍ଗ, ବନ୍ଧୁ-ପରିଜନ, ଗୋଷ୍ଠୀ, ନେତୃବର୍ଗଙ୍କ ସମ୍ମୁଖରେ କିମ୍ୱା ଗଣମାଧ୍ୟମରେ ପ୍ରକାଶ କରେ ନାହିଁ । ଏତଦ୍ୱାରା ସେ ସଂଭାବ୍ୟ ବିପଦରୁ ମୁକ୍ତି ପାଉଥିବା ବିଶ୍ୱାସ କରେ । କିନ୍ତୁ ବାସ୍ତବରେ ମୁକ୍ତ ସୂଚ଼ନା ଓ ସମ୍ୱାଦ ପ୍ରସାରଣ ଅନେକ କ୍ଷେତ୍ରରେ ଅସୁବିଧା ସୁଧାରିବା ଦିଗରେ ସହାୟକ ହୋଇଥାଏ ଏବଂ ସମାଜ ଉପକୃତ ହେବା ଆଶା କରାଯାଇପାରେ ।
ଗଣତନ୍ତ୍ରରେ ମୁକ୍ତ ଅଭିବ୍ୟକ୍ତି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଆନ୍ତର୍ଜାତିକ ମାନବ ଅଧିକାର ଘୋଷଣାନାମା ‘ୟୁନିଭରସାଲ ଡ଼ିକ୍ଲାରେସନ ଅଫ ହ୍ୟୁମାନ ରାଇଟସ’ ଧାରା–୧୯ରେ ମୁକ୍ତ ଅଭିବ୍ୟକ୍ତି ଓ ଅଭିମତ ପ୍ରକାଶନ ସ୍ୱାଧୀନତା ସୁନିଶ୍ଚିତ କରାଇବା ନିମନ୍ତେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦିଆଯାଇଛି । ନାଗରିକଙ୍କ ଦ୍ୱାରା ସୂଚନା ଓ ସମ୍ୱାଦ ସଂଗ୍ରହ ଫଳପ୍ରଦ ରାଜନୀତିକ ନିଷ୍ପତି ଗ୍ରହଣରେ ସହାୟକ ଓ ପରିପକ୍ୱ ଗଣତନ୍ତ୍ରର ପରିଚାୟକ । ସୂଚ଼ନା ଓ ସମ୍ୱାଦ ବିନା ଜ୍ଞାନ ଆହରଣ ଓ ମୁକ୍ତ ବିଚାର ସଂଭବ ହୋଇପାରିନଥାଏ । ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତି ସୂଚ଼ନା, ସମ୍ୱାଦ ଓ ଅଭିମତ ପ୍ରସାରଣ ପରିପନ୍ଥୀ ହୋଇଥିବା ହେତୁ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଥିବା କୁହାଯାଇପାରେ ।
ବିଶେଷଜ୍ଞଗଣ ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତିର ତିନିଗୋଟି କାରଣ ଉଲ୍ଲେଖ କରିଥାନ୍ତି । ପ୍ରଥମତଃ, ସଂପୃକ୍ତ ବ୍ୟକ୍ତିବିଶେଷ କିଛି ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘଟଣା ବା ମତକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରେନାହିଁ । ଦ୍ୱିତୀୟତଃ, କୌଣସି ଆଇନଗତ କଟକଣା ନଥିବା ସତ୍ତ୍ୱେ ସ୍ୱେଚ୍ଛାକୃତ ଓ ଉଦ୍ଦେଶ୍ୟମୂଳକ ଭାବେ ପ୍ରକାଶନରୁ ବିରତ ରହେ । ତୃତୀୟତଃ, ସ୍ୱାଭାବିକ ପ୍ରସାରଣ ପ୍ରବାହକୁ ବ୍ୟାହତ କରିଥାଏ । ଅର୍ଥାତ, ପ୍ରାକୃତିକ ଭାବେ ଯେଉଁ ସବୁ ତଥ୍ୟ ସମାଜର ସଦସ୍ୟଗଣ ଜାଣିପାରିଥାନ୍ତେ, ସେମାନଙ୍କୁ ସେହି ସୁଯୋଗରୁ ବଞ୍ଚିତ କରାଯାଏ । ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତି ସାମାଜିକ-ମାନସିକତା ‘ସୋସିଓ-ସାଇକୋଲୋଜିକାଲ’ ଲକ୍ଷଣ ରୂପେ ଚ଼ିହ୍ନଟ କରାଯାଇପାରେ । କୋଭିଡ଼-୧୯ ମହାମାରୀ କାଳରେ ସାମାଜିକ ବାରଣ ହେତୁ ଭୂତାଣୁ-ସଂକ୍ରମଣଜନିତ ବହୁ ତଥ୍ୟ ପ୍ରସାରଣ ବନ୍ଦ ରହିଥିଲା । କିନ୍ତୁ ମହାମାରୀ-ପର ଅବସ୍ଥାରେ ସେହି ଧାରା ଆତ୍ମ-ସମ୍ପାଦିତ ଅଭିବ୍ୟକ୍ତିରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି ।
ଗଣମାଧ୍ୟମ ପରିସରରେ ସମ୍ୱାଦ ଓ ଅଭିମତ ଉଭୟ ଆତ୍ମ-ସମ୍ପାଦନାର ଶୀକାର ହୋଇପାରେ । ସମ୍ୱାଦ ତଥ୍ୟ ଭିତ୍ତିକ । ଘଟଣାର ବିବରଣୀ ସମ୍ୱାଦ ଆକାରରେ ଜନସାଧାରଣରେ ପ୍ରସାରିତ ହୋଇଥାଏ । ଆତ୍ମ-ସମ୍ପାଦନାରେ ସାମ୍ୱାଦିକ କିମ୍ୱା ସମ୍ପାଦକମାନେ କେତେକ ଘଟଣାର ବିବରଣୀ ପ୍ରକାଶନ ବନ୍ଦ କରିଥାନ୍ତି । ଅପରପକ୍ଷେ ଅଭିମତ ତଥ୍ୟକୁ ଅତିକ୍ରମ କରି ତଥ୍ୟାବଳୀର ପୂର୍ବାପର ସଙ୍ଗତି ଅବତରଣା କରିଥାଏ । ଅଭିମତ ବ୍ୟକ୍ତି-କେନ୍ଦ୍ରୀକ ବା ଗୋଷ୍ଠୀ-କେନ୍ଦ୍ରୀକ ହୋଇପାରେ । ସାମ୍ୱାଦିକମାନେ ଅଭିମତ ପ୍ରକାଶନ କାଳରେ ସାଧାରଣତଃ ନିରପେକ୍ଷ ରହିବା ଆଶା କରାଯାଏ । କିନ୍ତୁ ଆତ୍ମ-ସମ୍ପାଦନା ଫଳରେ ନିରପେକ୍ଷତା ଆଘାତପ୍ରାପ୍ତ ହୋଇଥାଏ ।
ସୂଚନା, ସମ୍ୱାଦ ଓ ଅଭିମତ ପ୍ରସାର ଏକ ମାନବିକ ପ୍ରବୃତ୍ତି । ଏହି ବିତରଣ ପ୍ରକ୍ରିୟାରେ ମନୁଷ୍ୟ ଆହରଣ କରିଥିବା ବିବରଣୀର ସଂସ୍ପର୍ଶରେ ବ୍ୟକ୍ତିଗତସ୍ତରରେ ଉଦ୍ରେକ ହୋଇଥିବା ସକାରାତ୍ମକ ଓ ନକାରାତ୍ମକ ଉଭୟ ପ୍ରଭାବରୁ ମୁକ୍ତି ପାଇଥାଏ । ଉଦାହରଣରେ ଆଦିମ କାଳରେ ବସତି ଅନତି ଦୂରରେ ବ୍ୟାଘ୍ର ବିଚରଣ କରୁଥିବା ସମ୍ୱାଦରେ ସେ ଭୟଭୀତ ହୋଇପଡ଼ିଥିବା ଅବସରରେ ଏ ସଂପର୍କରେ ଅନ୍ୟମାନଙ୍କୁ ଜଣାଇ ସାମୂହିକ ମୁକାବିଲାର ଆଶ୍ୱସନାରେ ଆଶ୍ୱସ୍ତ ଅନୁଭବ କରେ । କିନ୍ତୁ ବ୍ୟାଘ୍ର ଉପସ୍ଥିତି ସଂପର୍କରେ ସୂଚ଼ନା ଅନ୍ୟମାନଙ୍କୁ ନଜଣାଇଲେ ସେ ନିଜେ ତ ଭୟଭୀତ ଅବସ୍ଥାରେ ରହେ, ବାସ୍ତବ କ୍ଷେତ୍ରରେ ଅଜାଣତରେ ବସତିର କିଛି ବ୍ୟକ୍ତି ବ୍ୟାଘ୍ର ଆକ୍ରମଣର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି । ଫଳରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଉଭୟ ସ୍ତରରେ କ୍ଷତି ସାଧନ ହୁଏ ।
ଆଧୁନିକ ସାମାଜିକ ବ୍ୟବସ୍ଥାରେ ଗଣତନ୍ତ୍ର ଅଗ୍ରାଧୀକାର ପାଉଥିବା ଅବସରରେ ଅଭିବ୍ୟକ୍ତିରେ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଏ । ମୁକ୍ତ ଅଭିବ୍ୟକ୍ତିକୁ ଆକଟ କରୁଥିବା ସମସ୍ତ ତତ୍ତ୍ୱକୁ ବିରୋଧ କରାଯାଏ । ଆତ୍ମ-ସମ୍ପାଦନା ଏକ ମାନସିକ ନିଷ୍ପତି ହେଲେହେଁ ଅଭିବ୍ୟକ୍ତିରେ ସ୍ୱାଧୀନତା ଖର୍ବ କରୁଥିବା ବ୍ୟବସ୍ଥା ଗୁଡ଼ିକ କିପରି ସଜଡ଼ା ଯାଇପାରିବ ସେହି ଦିଗରେ ଉଦ୍ୟମକୁ ପ୍ରଧାନ୍ୟ ଦିଆଯାଏ । ବିକଶିତ ଗଣତନ୍ତ୍ରଗୁଡ଼ିକରେ ସଚେତନ ପାଠକ, ଶ୍ରୋତା ଓ ଦର୍ଶକ ସାମ୍ୱାଦିକ, ଲେଖକ ଓ କଳାକାରମାନଙ୍କୁ ମୁକ୍ତ ଅଭିବ୍ୟକ୍ତି ନିମନ୍ତେ ପ୍ରୋତ୍ସାହିତ କରିଥାନ୍ତି । ଫଳରେ ସର୍ଜନଶୀଳ ବ୍ୟକ୍ତିବିଶେଷ ଆତ୍ମ-ସମ୍ପାଦନାରୁ ମୁକ୍ତ ହେବା ସମ୍ଭାବନା ସୁଦୃଢ ହୋଇଥାଏ । କିନ୍ତୁ ବିପରୀତ ଭାବେ ବିକାଶଶୀଳ ଓ ଅନୁନ୍ନତ ସମାଜଗୁଡ଼ିକରେ ଅନୁରୂପ ଉପଭୋକ୍ତା ଓ ସ୍ରଷ୍ଟା ସଂପର୍କ ଅଭାବରୁ ସୃଜନ କ୍ଷେତ୍ରରେ ଆତ୍ମ-ସମ୍ପାଦନା ବହୁଳଭାବେ ପ୍ରଚଳିତ । ଅଭିବ୍ୟକ୍ତିରେ ଆତ୍ମ-ସମ୍ପାଦନା ହ୍ରାସ କରିବା ଉଦ୍ଦେଶ୍ୟରେ ନାଗରିକ ସମାଜଗୁଡ଼ିକ ପକ୍ଷରୁ ଅଭିଯାନ ଆୟୋଜନ ଜରୁରୀ ।