ଆଲେକ୍ସି ନଭାନୀ ସାମ୍ୱାଦିକତା
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାମ୍ୱାଦିକତା ପତ୍ରାଂଶ
ଆଲେକ୍ସି ନଭାନୀ ସାମ୍ୱାଦିକତା
(ପଠନ ଅବଧି : ୫ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୪୦ / ବ୍ରହ୍ମପୁର, ୨୩ ଫେବୃୟାରୀ ୨୦୨୪
ଋଷ ଶାସକ ଦଳ ବିରୋଧୀ ନେତା ଆଲେକ୍ସି ନଭାନୀଙ୍କ ଫେବୃୟାରୀ ୨୦୨୪ ମଧ୍ୟଭାଗରେ ଆକସ୍ମିକ ମୃତ୍ୟୁ ଆନ୍ତର୍ଜାତିକ ବୁଦ୍ଧିଜୀବୀଙ୍କ ଗହଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ନଭାନୀ ମାତ୍ର ପନ୍ଦର ବର୍ଷର ରାଜନୀତିକ ଜୀବନରେ ଋଷ ତଥା ଋଷ ବାହାର ରାଷ୍ଟ୍ର ଗୁଡ଼ିକରେ ପ୍ରମୁଖ ବିରୋଧୀ ନେତୃତ୍ୱ ମାନ୍ୟତା ହାସଲ କରିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କମ୍ୟୁନିଷ୍ଟ ଶାସନରେ ମୁକ୍ତ ଅଭିବ୍ୟକ୍ତି ନିରୁତ୍ସାହିତ କରାଯାଉଥିବା ପରିବେଶରେ ନଭାନୀ ଯେ ସାମାଜିକ ଗଣମାଧ୍ୟମ ଉପଯୋଗରେ ବିପୁଳ ସଂଖ୍ୟକ ସମର୍ଥକ ସୃଷ୍ଟି କରିପାରିଥିଲେ, ଏହା ଶାସନତାନ୍ତ୍ରିକ ଶୃଙ୍ଖଳ ଓ ପାରମ୍ପରିକ ଗଣମାଧ୍ୟମର ପ୍ରଭୁତ୍ୱ ପ୍ରତି ଏକ ଆହ୍ୱାନ ବିଚାର କରାଯାଇପାରେ ।
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏକଛତ୍ରବାଦ ଶାସନ ବ୍ୟବସ୍ଥା ମୁଣ୍ଡ ଟେକି ସାରିଥିବା ସ୍ଥଳେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିବା କଥା । ତେବେ ବିଭିନ୍ନ କାରଣରୁ ପ୍ରତିଷ୍ଠିତ ଗଣମାଧ୍ୟମ ମଞ୍ଚ ଗୁଡ଼ିକ ଦାୟିତ୍ୱ ନିର୍ବାହରେ ଅସଫଳ ହେଉଥିବା ଅବସରରେ ସାମାଜିକ ଗଣମାଧ୍ୟମ ଯେ ସମର୍ଥ ଏବଂ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଠାରୁ ଶକ୍ତିଶାଳୀ, ତାହା ନଭାନୀଙ୍କ ରାଜନୀତିକ ଜୀବନରେ ପ୍ରତିଫଳିତ ହୋଇଛି । ସେ ଅଧ୍ୟୟନ ଶେଷ ପରେ ଜଣେ ଆଇନଜୀବୀ ଭାବେ ଅବସ୍ଥାପିତ ହୋଇଥିଲେ । ତେବେ ସାମାଜିକ ବ୍ୟବସ୍ଥାରେ ପ୍ରଚଳିତ ଦୁର୍ନୀତି, ମୁଖ୍ୟତଃ ରାଜନୀତିକ ପୃଷ୍ଠପୋଷକତାରେ ବିତ୍ତଶାଳୀଙ୍କ ଦୁର୍ନୀତି ତାଙ୍କୁ ବିଚ଼ଳିତ କରିଥିଲା । ପରବର୍ତ୍ତୀ ଜୀବନରେ ଦୁର୍ନୀତିର ମୂଳଉତ୍ପାଟନ ଓ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା ଲାଗି ଅଭିଯାନ ଜାରି ରଖିଥିଲେ ।
ଆଲେକ୍ସି ନଭାନୀଙ୍କ ମୃତ୍ୟୁ ବେଳକୁ ବୟସ ମାତ୍ର ୪୭ ବର୍ଷ ହୋଇଥିଲା । ସେ ୟୁକ୍ରେନ ବଂଶୋଦ୍ଭବ । ମସ୍କୋଠାରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ଏକ ଛୋଟ ସହରରେ ବଢ଼ିଥିଲେ । ତାଙ୍କ ପରିବାର ବାସ୍କେଟ ବୟନ ବ୍ୟବସାୟରେ ସଂପୃକ୍ତ ଥିଲେ । ସେ ଆଇନ ଓ ବିତ୍ତ ନିବେଶ ଶିକ୍ଷାରେ ଉପାଧି ହାସଲ କରିବା ପରେ ୨୦୧୦ରେ ଯୁକ୍ତରାଷ୍ଟ୍ର ଆମେରିକାର ୟେଲ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ । ସେ ୧୯୯୮ରେ ଅଧିବକ୍ତା ହିସାବରେ କାର୍ଯ୍ୟ ଆରମ୍ଭ କରିଥିବା ସ୍ଥଳେ ୨୦୧୩ରେ ତାଙ୍କରି ଅଧିବକ୍ତା ଲାଇସେନ୍ସ ରଦ୍ଦ କରାଯାଇଥିଲା । ନଭାନୀ ୨୦୦୧ରେ ରାଜନୀତିରେ ଯୋଗ ଦେଇଥିଲେ । ମୂଳରୁ ହିଁ ସେ ସରକାର ବିରୋଧ ଅଭିଯାନରେ ସାମିଲ ହୋଇପଡ଼ିଥିଲେ ।
ନଭାନୀ ଏକ ସ୍ୱତନ୍ତ୍ର ଶୈଳୀରେ ଦେଶର ବଡ଼ ତୈଳ କମ୍ପାନୀ ଓ ବ୍ୟାଙ୍କ ଇତ୍ୟାଦିରେ ଅନିୟମିତତା ଅନୁସନ୍ଧାନ କରିବା ନିମନ୍ତେ ପ୍ରଚେଷ୍ଟା ଚଳାଇଥିଲେ । ବିତ୍ତ-ନିବେଶରେ ପ୍ରଶିକ୍ଷିତ ନଭାନୀ ବିଭିନ୍ନ କମ୍ପାନୀର ଅଂଶଧନ ସାମାନ୍ୟ ପରିମାଣରେ କିଣି ସେମାନଙ୍କଠାରୁ ଆର୍ଥିକ ଦେଣ-ନେଣ ସଂପର୍କରେ ତଥ୍ୟ ହାସଲ କରି ଦୁର୍ନୀତିର ଚ଼େର ଖୋଜୁଥିଲେ । ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବିରୋଧରେ ପାରମ୍ପରିକ ଗଣମାଧ୍ୟମରେ ସମ୍ୱାଦ ପ୍ରସାରଣ ସୁବିଧା ନଥିବା ହେତୁ ସେ ନିଜେ ‘ନଭାନୀ-ଡ଼ଟ-ଲାଇଭଜର୍ଣ୍ଣାଲ-ଡ଼ଟ-କମ’ ନାମକ ଏକ ବ୍ଳଗ ପ୍ରସ୍ତୁତ କରି ସେଥିଲେ ପୋଷ୍ଟ କରିବାକୁ ଲାଗିଥିଲେ । ପରବର୍ତ୍ତୀ ଅବସ୍ଥାରେ ୟୁଟ୍ୟୁବରେ ମଧ୍ୟ ଏକ ଚ୍ୟାନେଲ ଖୋଲି ନିୟମିତ ଭିଡ଼ିଓ ଉଦବୋଧନ ପୋଷ୍ଟ କରିବାରେ ସଂପୃକ୍ତ ହୋଇପଡ଼ିଥିଲେ ।
ନଭାନୀଙ୍କ ଦୁର୍ନୀତି ପର୍ଦ୍ଦାଫାଶ ଓ ତଥ୍ୟ ସମୃଦ୍ଧ ରଚନାଗୁଡ଼ିକ ଲୋକପ୍ରିୟତା ହାସଲ କରିଥିଲା । ୟୁଟ୍ୟୁବରେ ତାଙ୍କରି ଉପସ୍ଥାପନା ଶୈଳୀରେ ସମର୍ଥକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ । ଫଳରେ ଖୁବ କମ ସମୟ ମଧ୍ୟରେ ନଭାନୀ ରୁଷର ରକ୍ଷଣଶୀଳ ଗଣମାଧ୍ୟମ ପରିବେଶରେ ସୁଦ୍ଧା ବିପୁଳ ସଂଖ୍ୟକ ଅନୁଗାମୀଙ୍କ ନିକଟରେ ପହଞ୍ଚି ପାରିଥିଲେ । ନଭାନୀଙ୍କ ମୃତ୍ୟୁ ଘୋଷଣା ଦିବସ ୧୬ ଫେବୃୟାରୀ ୨୦୨୪ରେ ତାଙ୍କରି ୟୁଟ୍ୟୁବ ଚ୍ୟାନେଲର ମୋଟ ଗ୍ରାହକ ‘ସବସ୍କ୍ରାଇବର’ ସଂଖ୍ୟା ୬୨ ଲକ୍ଷ ୧୦ ହଜାର ହିସାବ କରାଯାଇଥିଲା ।
ନଭାନୀ ସାମ୍ୱାଦିକ ନଥିଲେ । କିନ୍ତୁ ସାମ୍ୱାଦିକତାର ଦୁଇ ମୁଖ୍ୟ ବିଭବ-ଜନକଲ୍ୟାଣ ଲାଗି ସତ୍ୟ ଅନୁସନ୍ଧାନ ଓ ପ୍ରକାଶନରେ ଜୀବନବ୍ୟାପୀ ସଂପୃକ୍ତ ହୋଇପଡ଼ିଥିଲେ । ଇତିହାସ ପୃଷ୍ଠାରେ ମହାତ୍ମାଗାନ୍ଧୀ, ଲେନିନ ଓ ମାଓ-ସେ-ତୁଙ୍ଗ ଯେପରି ମୁଦ୍ରିତ ପ୍ରକାଶନ ମାଧ୍ୟମରେ ଦେଶବିଦେଶର ଅନୁଗାମୀଙ୍କ ନିକଟରେ ପହଞ୍ଚି ପାରିଥିବା ପ୍ରମାଣ ମିଳେ, ଠିକ୍ ସେହି ରୂପରେ ନଭାନୀ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଦୁର୍ନୀତି ବିରୋଧି ଅଭିଯାନକୁ ଶାଣିତ କରିଥିଲେ । ସେ ୩୪ ବର୍ଷ ବୟସରେ ୨୦୧୧ରେ ସରକାରୀ ବିରୋଧୀ ଜନମୋର୍ଚ୍ଚା ନେତୃତ୍ୱ ନେବା ଠିକ୍ ପୂର୍ବରୁ ‘ରୋସପିଲ’ ନାମରେ ଏକ ୱେବସାଇଟ ପ୍ରତିଷ୍ଠା କରି ସରକାରୀସ୍ତରରେ ପ୍ରକାଶିତ ବିଭିନ୍ନ ସନ୍ଦେହମୂଳକ ଟେଣ୍ଡର ମଞ୍ଜୁର ପ୍ରକ୍ରିୟାକୁ ସାର୍ବଜନୀନସ୍ତରରେ ତଦାରଖ ଲାଗି ଉଦ୍ୟମ କରିଥିଲେ । ସେହି ସମୟରେ ଏହାର ବ୍ୟାପକ ଚର୍ଚ୍ଚା ହୋଇଥିଲା ।
ଖ୍ୟାତନାମା ପତ୍ରିକା ‘ଏସକ୍ୱାୟର-ରୁଷ’କୁ ସାକ୍ଷାତକାର ଦେଇ ନଭାନୀ ୨୦୧୨ରେ କହିଥିଲେ ଯେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ତାଙ୍କରି ଅଭିଯାନକୁ ଅଣଦେଖା କରୁଥିବା ହେତୁ ସେ ନିଜେ ନିଜ କଥା ନିଜ ବ୍ଳଗରେ ବର୍ଣ୍ଣନା କରୁଛନ୍ତି । ସେ ପୁଣି ଉଲ୍ଲେଖ କରିଥିଲେ ଯେ ଇଣ୍ଟରନେଟ ଯୋଗାଯୋଗ ସରକାରୀ ବିରୋଧି ବିକ୍ଷୋଭ ଗୁଡ଼ିକ ସଫଳତାରେ ସହାୟକ ହେଉଛି ।
ପ୍ରାୟ ୪୦ ପ୍ରତିଶତ ବିକ୍ଷୋଭକାରୀ ଇଣ୍ଟରନେଟ ମାଧ୍ୟମରେ ହିଁ ଆକର୍ଷିତ ହେଉଥିବା ସେ ଉଲ୍ଲେଖ କରିଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚ ଯେକୌଣସି ଅଭିଯାନ ପ୍ରଚାର ପ୍ରସାର ନିମନ୍ତେ ବ୍ୟବହାର କରାଯାଇପାରେ । କୌଣସି ବିଷୟରେ ଗଭୀର ଅନୁଶୀଳନ ନିମନ୍ତେ ‘ନଭାନୀ-ଡ଼ଟ-ଲାଇଭଜର୍ଣ୍ଣାଲ-ଡ଼ଟ-କମ’ ଭଳି ବ୍ଳଗ କିମ୍ୱା କ୍ରମବିକଶିତ ଘଟଣାବଳୀ ଅନୁଧ୍ୟାନ କରିବା ନିମନ୍ତେ ‘ରୋସପିଲ’ ଭଳି ୱେବସାଇଟ ଉପକାରୀ ସାବ୍ୟସ୍ତ ହେଉଥିବା ସ୍ଥଳେ ଫେସବୁକ ଭଳି ମଞ୍ଚ ପୋଷ୍ଟର, ଭିଡ଼ିଓ ଓ ସଂକ୍ଷିପ୍ତ ବାର୍ତ୍ତା ଜନସାଧାରଣରେ ପ୍ରସାର ଦିଗରେ ସହାୟକ । ତେବେ ସାମାଜିକ ଗଣମାଧ୍ୟମ ଯୋଗୁଁ ଲୋକେ ବିକ୍ଷୋଭକୁ ଆସୁନାହାନ୍ତି । ବ୍ୟବସ୍ଥା ପ୍ରତି ବୀତସ୍ପୃହଥିବା ହେତୁ ସେମାନଙ୍କୁ ବିକ୍ଷୋଭ ଟାଣି ଆଣୁଛି ।
ନଭାନୀ ‘ଅଣ୍ଟି-କରପସନ ଫାଉଣ୍ଡେସନ’ ନାମକ ଏକ ନ୍ୟାସ ସଂସ୍ଥା ମାଧ୍ୟମରେ ନିଜ ଜନସଂପର୍କ କାର୍ଯ୍ୟକ୍ରମ ଜାରୀ ରଖିଥିଲେ । ଏହି ନ୍ୟାସ ସଂସ୍ଥା ନିମନ୍ତେ ବିଭିନ୍ନ ସୂତ୍ରରୁ ଦାନ ସଂଗ୍ରହ କରାଯାଇ ଉଚ୍ଚ କୋଟିର ଗଣମାଧ୍ୟମ ଉତ୍ପାଦ ପ୍ରସ୍ତୁତ କରାଯାଉଥିଲା । ନାଭାନୀଙ୍କ ୟୁଟ୍ୟୁବରେ ପ୍ରସାରିତ ଭିଡ଼ିଓ ଗୁଡ଼ିକ ଯେକୌଣସି ପ୍ରତିଷ୍ଠିତ ଟେଲିଭିଜନ ଚ୍ୟାନେଲ ପ୍ରସ୍ତୁତ ପ୍ରାମାଣିକ ଚଳଚ଼ିତ୍ର ସମକକ୍ଷ ରହୁଥିଲା । ନାଭାନୀଙ୍କ ମୃତ୍ୟୁ ସମ୍ୱାଦ ଋଷ ଗଣମାଧ୍ୟମରେ ଗୁରୁତ୍ୱ ଦିଆନଯାଇଥିବା ଅଭିଯୋଗ ହୁଏ । ତେବେ ୨୦୨୧ର ଋଷ ସରକାରଙ୍କ ଦ୍ୱାରା ‘ଆତଙ୍କବାଦୀ ଗୋଷ୍ଠୀ’ ରୂପେ ଚ଼ିହ୍ନିତ ନଭାନୀଙ୍କ ‘ଆଣ୍ଟି-କରପସନ ଫାଉଣ୍ଡେସନ’ ବିଦେଶରେ କାର୍ଯ୍ୟରତ ନ୍ୟାସ ସଂସ୍ଥା ପକ୍ଷରୁ ପ୍ରସାରିତ ନଭାନୀ ମୃତ୍ୟୁ ପ୍ରସଙ୍ଗ ବିଶ୍ୱବ୍ୟାପୀ ଦର୍ଶକଙ୍କଠାରେ ସବିଶେଷ ବିବରଣୀ ପହୁଞ୍ଚାଇ ଦେଇପାରିଥିଲା । ନଭାନୀଙ୍କ ସାମ୍ୱାଦିକତା ସାମାଜିକ ଗଣମାଧ୍ୟମ ଉପଯୋଗରେ ବିକଳ୍ପ ପ୍ରସାରଣ ବ୍ୟବସ୍ଥାରେ ଏକ ଉଦାହରଣ ହୋଇ ରହିବ ।