ସ୍ଥାନୀୟ ସମ୍ୱାଦ ମଞ୍ଚ ଡ଼ିଜିଟାଲ ରୂପାନ୍ତରଣ
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାମ୍ୱାଦିକତା ପତ୍ରାଂଶ
ସ୍ଥାନୀୟ ସମ୍ୱାଦ ମଞ୍ଚ ଡ଼ିଜିଟାଲ ରୂପାନ୍ତରଣ
(ପଠନ ଅବଧି : ୬ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୫୨ / ବ୍ରହ୍ମପୁର, ୧୭ ମେ ୨୦୨୪
ବିକଶିତ ରାଷ୍ଟ୍ରସମୂହରେ ସମ୍ୱାଦ ମଞ୍ଚ ଡିଜିଟାଲ ରୂପାନ୍ତରଣ କୋଭିଡ଼-୧୯ ମହାମାରୀ-ପର ଗଣମାଧ୍ୟମ ପରିବେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ପ୍ରକ୍ରିୟାରେ ଏକ ପକ୍ଷରେ ସ୍ଥାନୀୟ ସମ୍ୱାଦ ପରିବେଷଣ କରୁଥିବା ସାପ୍ତାହିକ ଓ ଦୈନିକ ସମ୍ୱାଦପତ୍ରଗୁଡ଼ିକ ବନ୍ଦ ହୋଇ ଯାଉଥିବା କିମ୍ୱା କ୍ରମଶଃ ଡିଜିଟାଲ ଆଙ୍ଗିକକୁ ଲମ୍ପ ପ୍ରଦାନ କରୁଥିବା ଅବସରରେ ଅପରପକ୍ଷରେ ବହୁ ସଂଖ୍ୟକ ସ୍ୱାଧୀନ ଡିଜିଟାଲ ସମ୍ୱାଦ ମଞ୍ଚ ଆତ୍ମପ୍ରକାଶ କରୁଛି । ସେଠାକାର ଜନସାଧାରଣ ସମ୍ୱାଦ ଆହରଣ ନିମନ୍ତେ ପାରମ୍ପରିକ ଟେଲିଭିଜନ, ରେଡ଼ିଓ ଓ ମୁଦ୍ରଣ ବଦଳରେ ସମ୍ୱାଦ ୱେବସାଇଟ, ଆପ ଓ ସାମାଜିକ ଗଣମାଧ୍ୟମ-ଆଶ୍ରିତ ହୋଇପଡୁଥିବା ବିଭିନ୍ନ ଗବେଷଣାରୁ ଜଣାଯାଏ ।
ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ୍ଚ ସେଣ୍ଟର’ ଆନୁକୂଲ୍ୟରେ ୨୦୨୪ ଜାନୁୟାରୀ ମାସରେ ମାର୍କିନ ନାଗରିକଙ୍କ ସ୍ଥାନୀୟ ସମ୍ୱାଦ ଆହରଣ ଅଭ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ସର୍ବେକ୍ଷଣରେ ପାଞ୍ଚ ହଜାର ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅର୍ଦ୍ଧେକ, ପ୍ରାୟ ୪୮ ପ୍ରତିଶତ ୱେବସାଇଟ ଓ ସାମାଜିକ ଗଣମାଧ୍ୟମରୁ ସମ୍ୱାଦ ସଂଗ୍ରହ କରୁଥିବା ଜଣାଯାଇଥିଲା । ଏଥି ମଧ୍ୟରେ ୨୬ ପ୍ରତିଶତ ସମ୍ୱାଦ ୱେବସାଇଟ ଓ ୨୩ ପ୍ରତିଶତ ସାମାଜିକ ଗଣମାଧ୍ୟମ ଉପରେ ସ୍ଥାନୀୟ ସମ୍ୱାଦ ନିମନ୍ତେ ନିର୍ଭରଶୀଳ ଥିଲେ ।
ପାରମ୍ପରିକ ଭାବେ ଜନସାଧାରଣ ସ୍ଥାନୀୟ ସମ୍ୱାଦ ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ର, ରେଡ଼ିଓ କିମ୍ୱା ଟେଲିଭିଜନ ଖୋଜି ଆସିଥିଲେ । କିନ୍ତୁ ୨୦୨୪ରେ ଟେଲିଭିଜନ ଯୋଗେ ୩୨ ପ୍ରତିଶତ ତଥା ସମ୍ୱାଦପତ୍ର ଓ ରେଡ଼ିଓ ଯୋଗେ ପ୍ରତ୍ୟେକ ମାତ୍ର ନଅ ପ୍ରତିଶତ ନାଗରିକ ସ୍ଥାନୀୟ ସମ୍ୱାଦ ପାଉଥିବା ପ୍ରକାଶ କରିଥିଲେ । ୨୦୧୮ ଓ ୨୦୨୪ର ତଥ୍ୟ ତୁଳନା କଲେ ସମ୍ୱାଦ ୱେବସାଇଟ ଓ ସାମାଜିକ ଗଣମାଧ୍ୟମରୁ ସ୍ଥାନୀୟ ସମ୍ୱାଦ ନିମନ୍ତେ ୨୦୧୮ରେ ୩୭ ପ୍ରତିଶତ ନିର୍ଭରଶୀଳ ଥିବା ସ୍ଥଳେ ୨୦୨୪ରେ ୪୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଅପରପକ୍ଷେ ଟେଲିଭିଜନକୁ ୨୦୧୮ରେ ୪୧ ପ୍ରତିଶତ ଅଗ୍ରାଧିକାର ଦେଉଥିବା ସ୍ଥଳେ ୨୦୨୪ରେ ୩୨ ପ୍ରତିଶତକୁ ହ୍ରାସ ପାଇଥିଲା । ସେହିପରି ୨୦୧୮ରେ ଯଥାକ୍ରମେ ମୁଦ୍ରଣ ଓ ରେଡ଼ିଓରେ ୧୩ ଓ ଆଠ ପ୍ରତିଶତ ସ୍ଥାନୀୟ ସମ୍ୱାଦ ପାଉଥିବା ବେଳେ ୨୦୨୪ରେ ତାହା ନଅ ପ୍ରତିଶତକୁ ଖସି ଆସିଥିବା ଜଣାଯାଇଥିଲା ।
ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ଥାନୀୟ ସମ୍ୱାଦ ଆହରଣ କରୁଥିବା ଏକ ତୃତୀୟାଂଶ ପାଠକ ଦୈନିକ ସମ୍ୱାଦପତ୍ରକୁ ହିଁ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିଥାନ୍ତି । ସେମାନଙ୍କ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ର ପାଠକଙ୍କ ସଂଖ୍ୟା ୩୧ ପ୍ରତିଶତ ଥିବା ସ୍ଥଳେ ୱେବସାଇଟ, ଆପ, ଇମେଲ ଓ ସାମାଜିକ ଗଣମାଧ୍ୟମ ଯୋଗେ ଡିଜିଟାଲ ମାଧ୍ୟମରେ ପାଠକ ସଂଖ୍ୟା ୬୬ ପ୍ରତିଶତ । ୨୦୧୮ର ସ୍ଥିତି ସହ ତୁଳନା କଲେ ମୁଦ୍ରିତ ସମ୍ୱାଦ ପାଠକ ସଂଖ୍ୟା ୪୩ ପ୍ରତିଶତରୁ ୩୧ ପ୍ରତିଶତକୁ ହ୍ରାସ ପାଇଛି ଏବଂ ଡିଜିଟାଲ ମାଧ୍ୟମରେ ପାଠକ ସଂଖ୍ୟା ୫୪ ପ୍ରତିଶତରୁ ୬୬ ପ୍ରତିଶତକୁ ବୃଦ୍ଧି ପାଇଛି ।
ଠିକ ସେହି ଧାରାରେ ୨୦୨୪ରେ ଟେଲିଭିଜନ ସେଟ ଜରିଆରେ ସ୍ଥାନୀୟ ସମ୍ୱାଦ ଦର୍ଶକଙ୍କ ସଂଖ୍ୟା ୨୦୧୮ରେ ୭୬ ପ୍ରତିଶତରୁ ୨୦୨୪ରେ ୬୨ ପ୍ରତିଶତକୁ ହ୍ରାସ ପାଇଛି । ଡିଜିଟାଲ ମାଧ୍ୟମରେ ଟେଲିଭିଜନ ଦର୍ଶକ ସଂଖ୍ୟା ୩୭ ପ୍ରତିଶତ ହିସାବ କରାଯାଉଛି । ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ସମ୍ୱାଦ ଟେଲିଭିଜନର ପାଠକ ଓ ଦର୍ଶକ ସଂଖ୍ୟା କମିଛି । ତେବେ ମୁଦ୍ରିତ ସମ୍ୱାଦପତ୍ର ତୁଳନାରେ ଟେଲିଭିଜନ ବିଜ୍ଞାପନ ଆୟରେ ସ୍ଥିରତା ଲକ୍ଷ୍ୟ କରାଯାଉଛି ।
ପିଉ ରିସର୍ଚ୍ଚ ସର୍ବେକ୍ଷଣରେ ମାର୍କିନ ନାଗରିକମାନେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର କାର୍ଯ୍ୟକାରିତାରେ ସନ୍ତୁଷ୍ଟ ଥିବା ପ୍ରକାଶ । ୨୦୧୮ରେ ୬୩ ପ୍ରତିଶତ ନାଗରିକ ସାମ୍ୱାଦିକମାନେ ଆଞ୍ଚଳିକ ଜନସାଧାରଣଙ୍କ ସହ ଯୋଗାଯୋଗରେ ଥିବା ସ୍ୱୀକାର କରିଥିବା ସ୍ଥଳେ ୨୦୨୪ରେ ୬୯ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସ୍ଥାନୀୟ ସାମ୍ୱାଦିକତାରେ ମୁଖ୍ୟ ଘଟଣାବଳୀ ଚ଼ିତ୍ରଣ ସପକ୍ଷରେ ୬୮ ପ୍ରତିଶତ, ସଠିକ ନିର୍ଦ୍ଧାରଣରେ ୭୧ ପ୍ରତିଶତ, ସ୍ୱଚ୍ଛତାରେ ୬୩ ପ୍ରତିଶତ ଓ ରାଜନୀତିକ ନେତୃବର୍ଗଙ୍କ ପ୍ରତି ତୀକ୍ଷଣ ଦୃଷ୍ଟି ନିମନ୍ତେ ୬୧ ପ୍ରତିଶତ ପାଠକ ଗୁରୁତ୍ୱାରୋପ କରିଥିଲେ ।
ସ୍ଥାନୀୟ ସମ୍ୱାଦ ବିଭକ୍ତିକରଣରେ ପାଣିପାଗ ସଂପର୍କରେ ୯୦ ପ୍ରତିଶତ, ଅପରାଧରେ ୭୭ ପ୍ରତିଶତ, ରାସ୍ତାଘାଟ ଓ ପରିବହନରେ ୬୮ ପ୍ରତିଶତ, ରାଜନୀତି ଓ ପ୍ରଶାସନରେ ୬୮ ପ୍ରତିଶତ, କଳା ଓ ସଂସ୍କୃତିରେ ୫୯ ପ୍ରତିଶତ, ଅର୍ଥନୀତିରେ ୫୯ ପ୍ରତିଶତ, ଶିକ୍ଷାରେ ୫୬ ପ୍ରତିଶତ ଓ କ୍ରୀଡ଼ାରେ ୫୪ ପ୍ରତିଶତ ପାଠକ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଇଥିଲା । ପ୍ରାୟ ୬୯ ପ୍ରତିଶତ ସ୍ଥାନୀୟ ସମ୍ୱାଦ ଉପଭୋକ୍ତା ପରିବେଷିତ ସମ୍ୱାଦଗୁଡ଼ିକ ନିରପେକ୍ଷ ରହିବା ଉଚିତ ବିଚାର କରୁଥିବା ସ୍ଥଳେ ୨୯ ପ୍ରତିଶତ ପକ୍ଷଭୁକ୍ତ ସାମ୍ୱାଦିକତାକୁ ସମର୍ଥନ ଜଣାଇଥିଲେ । କମ ବୟସର ସ୍ଥାନୀୟ ସମ୍ୱାଦ ଉପଭୋକ୍ତାମାନେ ପକ୍ଷଭୁକ୍ତ ସାମ୍ୱାଦିକତା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।
ସ୍ଥାନୀୟ ସମ୍ୱାଦ ପ୍ରତି ସକାରାତ୍ମକ ମନୋଭାବ ପରିପ୍ରକାଶ ସତ୍ତ୍ୱେ ମାର୍କିନ ନାଗରିକଙ୍କ ଆଗ୍ରହ କମି ଆସୁଥିବା ଉଲ୍ଲେଖଯୋଗ୍ୟ । ୨୦୧୬ରେ ୩୭ ପ୍ରତିଶତ ସ୍ଥାନୀୟ ସାମ୍ୱାଦିକତାରେ ଯୋଡ଼ି ହେଉଥିବା ସ୍ଥଳେ ୨୦୨୪ରେ ୨୨ ପ୍ରତିଶତକୁ ହ୍ରାସ ପାଇଥିଲା । ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ଗ୍ରାହକ ଶ୍ରେଣୀଭୁକ୍ତ ହେବା ନିମନ୍ତେ ମାତ୍ର ୧୫ ପ୍ରତିଶତ ଉପଭୋକ୍ତା ଆଗ୍ରହ ପ୍ରକାଶ କରୁଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପିଉ ରିସର୍ଚ୍ଚ ସର୍ବେକ୍ଷଣରେ ଏହାର କାରଣ ବୁଝିବାରୁ ଅଂଶଗ୍ରହଣକାରୀମାନେ କହିଥିଲେ ଯେ ଅନ-ଲାଇନରେ ମାଗଣାରେ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନୀୟ ସମ୍ୱାଦ ପରିବେଷିତ ହେଉଥିବା ହେତୁ ଅଧିକାଂଶ ଗ୍ରାହକଶ୍ରେଣୀଭୁକ୍ତ ହେବା ନିମନ୍ତେ ନାରାଜ । କମ ବୟସ୍କମାନେ ସ୍ଥାନୀୟ ସମ୍ୱାଦ ପ୍ରତି ଆଗ୍ରହୀ ନଥିବା ସୂଚାଇଥିଲେ ।
ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦମଞ୍ଚଗୁଡ଼ିକ ଆର୍ଥିକ ଦୁରାବସ୍ଥାର ଶୀକାର ହୋଇଥିବା ସଂପର୍କରେ ସାଧାରଣ ନାଗରିକ ସଚେତନ ନଥିବା ଜଣାଯାଇଥିଲା । ପ୍ରାୟ ୬୩ ପ୍ରତିଶତ ସମ୍ୱାଦ ମଞ୍ଚଗୁଡ଼ିକ ଭଲ ବ୍ୟବସାୟ କରୁଥିବା ବିଶ୍ୱାସ କରୁଥିଲେ । ଉଭୟ ଡେମୋକ୍ରେଟିକ ଓ ରିପବ୍ଳିକାନ ପାର୍ଟିର ରାଜନୀତିକ ନେତୃବର୍ଗ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ଭୂମିକାକୁ ପ୍ରଶଂସା କରିଥିଲେ ।
ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଇଣ୍ଟରନେଟର ବ୍ୟାପ୍ତି ଓ ସାମାଜିକ ଗଣମାଧ୍ୟମର ଆବିର୍ଭାବ ସ୍ଥାନୀୟ ସମ୍ୱାଦ ପରିବେଷଣ କ୍ଷେତ୍ରରେ ରୂପାନ୍ତରଣରେ ପ୍ରଥମତଃ, ଡିଜିଟାଲ ମଞ୍ଚ ପ୍ରମୁଖ ପ୍ରସାରଣ ମାଧ୍ୟମ ରୂପେ ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ୱୀକୃତ ହୋଇସାରିଥିବା ସ୍ଥଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସମଧାରା ଅନୁଗାମୀ । ଦ୍ୱିତୀୟତଃ, ପାରମ୍ପରିକ ଭାବେ ସ୍ଥାନୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଦୈନନ୍ଦିନ ଘଟଣାବଳୀ, ବର୍ଗୀକୃତ ବିଜ୍ଞାପନ, ପରିବହନ ଓ ମନୋରଞ୍ଜନ ଭଳି ବିଷୟବସ୍ତୁ ସ୍ଥାନିତ ହୋଇଆସିଥିବା ସ୍ଥଳେ କ୍ରମଶଃ ସେଗୁଡ଼ିକ ସାମାଜିକ ଗଣମାଧ୍ୟମ ମଞ୍ଚକୁ ସଂପ୍ରସାରିତ ହେବାରେ ଲାଗିଛି । ତୃତୀୟତଃ, ସ୍ଥାନୀୟ ସମ୍ୱାଦ ବହୁଳ ପରିମାଣରେ ଅଣ-ଗଣମାଧ୍ୟମ ମଞ୍ଚରେ ଉପଲବ୍ଧ ହେଉଥିବା ହେତୁ ଜନସାଧାରଣ ଆଉ ପାରମ୍ପରିକ ମଞ୍ଚ ପ୍ରତି ନିର୍ଭରଶୀଳ ନୁହନ୍ତି । ପାଠକ, ଶ୍ରୋତା ଓ ଦର୍ଶକ ଅଭାବରୁ ପାରମ୍ପରିକ ମଞ୍ଚଗୁଡ଼ିକରେ ବିଜ୍ଞାପନ ଆୟ କମି ଆସିବାରେ ଲାଗିଛି । ଏହା ପ୍ରଚଳିତ ବ୍ୟାବସାୟିକ ମଡ଼େଲରେ ବିଘଟନର କାରଣ ।
ଚ଼ତୁର୍ଥତଃ, ଗ୍ରାହକ ଚାନ୍ଦା ଓ ବିଜ୍ଞାପନ ଆୟରେ କାଟଛାଟ ହେତୁ ପ୍ରକାଶକ ଓ ସମ୍ପାଦକମାନେ ସ୍ଥାନୀୟ ସମ୍ୱାଦ ମଞ୍ଚର ଗୁଣାତ୍ମକ ବିକାଶରେ ନିବେଶ ନିମନ୍ତେ ଅମଙ୍ଗ । ଫଳତଃ, ସ୍ଥାନୀୟ ସମ୍ୱାଦ ପରିବେଷଣ ନିମ୍ନସ୍ତରରେ ପହଞ୍ଚୁଥିବା ହେତୁ ଉପଭୋକ୍ତା ହାନୀ ଓ ତତ୍ ସଂଯୁକ୍ତ ବିଜ୍ଞାପନ ଆୟ ସଂକୋଚନର କାରଣ ପାଲଟୁଛି । ଶେଷରେ ପଞ୍ଚମତଃ, ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ଗଣତାନ୍ତ୍ରିକ ଶାସନ ପ୍ରଣାଳୀକୁ ଋଦ୍ଧିମନ୍ତ କରୁଥିବା ସ୍ଥଳେ ରୁଗଣ କିମ୍ୱା ପକ୍ଷଭୁକ୍ତ ସାମ୍ୱାଦିକତା ପ୍ରଶାସନିକ ବ୍ୟବସ୍ଥାର ସମାଲୋଚନାରୁ ଓହରି ଯାଉଛି ଏବଂ ଏହି ପରିବେଶ ଗଣତନ୍ତ୍ର ପ୍ରତି ବିପଦପୂର୍ଣ୍ଣ । ସ୍ଥାନୀୟ ସମ୍ୱାଦ ମଞ୍ଚର ଡିଜିଟାଲ ରୂପାନ୍ତରଣ ବିକଳ୍ପ ବ୍ୟବସ୍ଥାଲାଗି ପ୍ରତିଶୃତି ବହନ କରୁଥିଲେ ହେଁ ସ୍ୱାବଲମ୍ୱୀ ଅର୍ଥନୀତିକ ଧାରା ଅଭାବରେ ପ୍ରକାଶନ ଦୋଳାୟମାନ ଅବସ୍ଥାରେ ଲଟକି ରହୁଛି ।