ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ
ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାମ୍ୱାଦିକତା ପତ୍ରାଂଶ
ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ
(ପଠନ ଅବଧି : ୫ ମିନଟ)
ଡକ୍ଟର ପ୍ରଦୀପ ମହାପାତ୍ର
ସଂଖ୍ୟା : ୩୫୭ / ବ୍ରହ୍ମପୁର, ୨୧ ଜୁନ ୨୦୨୪
ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାବସାୟିକ ମଡ଼େଲରେ ତୃଟି, ବିଶ୍ୱସନୀୟତା ହାନୀ, ପାଠକ-ଶ୍ରୋତା-ଦର୍ଶକ ଅପସାରଣ ଭଳି ସମସ୍ୟା ସହ ସଂଘର୍ଷରତ ଥିବା ଅବସରରେ ପାରମ୍ପରିକ ସମ୍ୱାଦ ମଞ୍ଚ ବଦଳରେ ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ ଧାରା ପ୍ରସାର ପରିବେଶକୁ ତିକ୍ତ କରିଦେଉଥିବା ବିଚାର କରାଯାଏ । ଦୀର୍ଘ ତିନି ଶହ ବର୍ଷ ଧରି ମୁଦ୍ରଣ ମାଧ୍ୟମ ସମ୍ୱାଦ ପରିବେଷଣରେ ଏକଚାଟିଆ ଆଧିପତ୍ୟ ବଜାୟ ରଖିବା ପରେ ବିଂଶ ଶତାଦ୍ଦୀରେ ରେଡ଼ିଓ, ଟେଲିଭିଜନ ଓ ସିନେମା ପ୍ରଚଳିତ ଆନୁଷ୍ଠାନିକ ସମ୍ୱାଦ ଆଙ୍ଗିକରେ ସାମିଲ ହୋଇଥିଲା । ତେବେ ବିଂଶ ଶତାଦ୍ଦୀର ଶେଷ ଦଶକରେ ଇଣ୍ଟରନେଟ ପ୍ରସାର ଓ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ସାମାଜିକ ଗଣମାଧ୍ୟମ ଅଭ୍ୟୁଦୟ ସମ୍ୱାଦ ଶିଳ୍ପରେ ପୂର୍ବ ପ୍ରଚଳିତ ସମସ୍ତ ପଦ୍ଧତିର ବିରୁଦ୍ଧାଚ଼ରଣ କରିଥିଲା ।
ଶେଷ ଶହେ ବର୍ଷର ବୈଷୟିକ ପରିବର୍ତ୍ତନ ପ୍ରଭାବରେ ସମ୍ୱାଦ ଉପଭୋକ୍ତା ସମ୍ୱାଦ ମୁଦ୍ରିତ ପତ୍ରପତ୍ରିକାରୁ ପଢ଼ିବା, ରେଡ଼ିଓରୁ ଶୁଣିବା, ଟେଲିଭିଜନରୁ ଦେଖିବା ପରେ ଇଣ୍ଟରନେଟ ମଞ୍ଚରେ ସମଗ୍ର ତିନିଗୋଟି ଧାରା ପଢ଼ିବା-ଶୁଣିବା-ଦେଖିବା ସୁଯୋଗ ପାଇଥିଲେ । ସମ୍ୱାଦ ମଞ୍ଚର ଆନୁଷ୍ଠାନିକ ଆଙ୍ଗିକ ବଳବତ୍ତର ରହିଥିଲା । ମୁଖ୍ୟତଃ ଅଭିଜ୍ଞ, ତାଲିମପ୍ରାପ୍ତ ଓ ବୃତ୍ତିଧାରୀମାନେ ସମ୍ୱାଦ ପ୍ରଯୋଜନା କରୁଥିବା ସ୍ଥଳେ ପାଠକ, ଶ୍ରୋତା ଓ ଦର୍ଶକ କୌଣସି ନିର୍ଦ୍ଦିଷ୍ଟ ମଞ୍ଚରୁ ସମ୍ୱାଦ ଆହରଣ କରୁଥିଲେ । ସାମାଜିକ ଗଣମାଧ୍ୟମ ପ୍ରଚଳନ ପରେ ସମ୍ୱାଦ ଉପଭୋକ୍ତା ସମ୍ୱାଦ ପ୍ରଯୋଜନାର ମଧ୍ୟ ଭାର ଗ୍ରହଣ କଲେ । ଏହା ସାମ୍ୱାଦିକତା ପରିଧିରେ ବ୍ୟାପକ ବିଘଟନର କାରଣ ପାଲଟିଲା ।
‘ଷ୍ଟାଟିଷ୍ଟା’ ଭଳି ପରିସଂଖ୍ୟାନ ସଂସ୍ଥା ହିସାବରେ ଏପ୍ରିଲ ୨୦୨୪ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ୬୭.୧ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତ ଥିବା ସ୍ଥଳେ ୬୨.୬ ପ୍ରତିଶତ ସାମାଜିକ ଗଣମାଧ୍ୟମ ଉପଭୋକ୍ତା । ‘ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ’ର ‘ରଏଟର୍ସ ଇଷ୍ଟିଟିଉଟ ଫର ଦି ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ପକ୍ଷରୁ ଜୁନ ୨୦୨୪ରେ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ’ରେ ଦର୍ଶାଯାଇଛି ଯେ ବିଶ୍ୱବ୍ୟାପୀ ସାମାଜିକ ଗଣମାଧ୍ୟମ ଉପଭୋକ୍ତା ସୀମିତ ଅବଧିର ଭିଡ଼ିଓ ‘ସର୍ଟ ଭିଡ଼ିଓ’ ଯୋଗେ ସମ୍ୱାଦ ଆହରଣ କରୁଛନ୍ତି । ଆନ୍ତର୍ଜାତିକସ୍ତରରେ ୪୭ ଗୋଟି ରାଷ୍ଟ୍ରର ୯୫,୦୦୦ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ଆୟୋଜିତ ସର୍ବେକ୍ଷଣରେ ୬୬ ପ୍ରତିଶତ ସମ୍ୱାଦଭିତ୍ତିକ ସର୍ଟ ଭିଡ଼ିଓ ଓ ୫୧ ପ୍ରତିଶତ ସମ୍ୱାଦଭିତ୍ତିକ ଲଙ୍ଗ ଭିଡ଼ିଓ ପସନ୍ଦ କରୁଥିବା ଜଣାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ସାମାଜିକ ଗଣମାଧ୍ୟମ ଓ ୨୨ ପ୍ରତିଶତ ସମ୍ୱାଦ ୱେବସାଇଟ ବା ଆପ ଯୋଗେ ଭିଡ଼ିଓ ଦେଖନ୍ତି । ଅର୍ଥାତ, ସମ୍ୱାଦ ମଞ୍ଚ ବଦଳରେ ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ କରିଥାନ୍ତି ।
ସମ୍ୱାଦ ମଞ୍ଚଗୁଡ଼ିକ ବୃତ୍ତିଧାରୀ ଅଭିଜ୍ଞ ସାମ୍ୱାଦିକଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ସାମାଜିକ ଗଣମାଧ୍ୟମ ଉପଭୋକ୍ତାଙ୍କ ରଚନା ଓ ସୃଜନ ସମୃଦ୍ଧ । ପାରମ୍ପରିକ ସମ୍ୱାଦ ମଞ୍ଚ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ଥିବା ସ୍ଥଳେ ସାମାଜିକ ଗଣମାଧ୍ୟମ ସଂପୃକ୍ତ ଉପଭୋକ୍ତାଙ୍କ ବନ୍ଧୁ ବା ଅନୁଗାମୀଙ୍କ ମଧ୍ୟରେ ସୀମିତ ରହିଥାଏ । ତଥାପି ପ୍ରତ୍ୟେକ ଗ୍ରହୀତା ନିଜ ନିଜ ବନ୍ଧୁ ବା ଅନୁଗାମୀ ପରିଧିରେ ମୁହୁର୍ତ୍ତକ ମଧ୍ୟରେ ପ୍ରସାର ‘ସେୟାର’ କରିବା ସୁଯୋଗ ଉପଯୋଗରେ ସାମାଜିକ ଗଣମାଧ୍ୟମରେ ସ୍ଥାନିତ ଉପାଦାନ ‘କଣ୍ଟେଣ୍ଟ’ ଖୁବ କମ ସମୟ ମଧ୍ୟରେ ଜ୍ୟାମିତିକ ଧାରାରେ ଭୌଗଳିକ ସୀମାପାର ବିସ୍ତୃତ ଜନସଂଖ୍ୟାରେ ପହଞ୍ଚି ଯାଇପାରେ । ଅବଶ୍ୟ ସାମାଜିକ ଗଣମାଧ୍ୟମରେ ସ୍ଥାନିତ ହେଉଥିବା ସମସ୍ତ ଉପାଦାନ ସମଭାବେ ପ୍ରସାର ଲାଭ କରିପାରେ ନାହିଁ ।
ସାମାଜିକ ଗଣମାଧ୍ୟମ ମଞ୍ଚରେ ସମ୍ୱାଦ ଆହରଣ ସହ ଅଧ୍ୟୟନ, ଟିପ୍ପଣୀ ପ୍ରଦାନ ଓ ଆଭାସୀ-ମଣ୍ଡଳୀ ‘ଭର୍ଚୁଆଲ ନେଟୱାର୍କ’ରେ ପ୍ରସାରଣ ସୁବିଧା ଉପଲବ୍ଧ । ସମ୍ୱାଦ ମଞ୍ଚ ଭଳି ସାମାଜିକ ଗଣମାଧ୍ୟମ ପ୍ରସାରଣ କୌଣସି ବୃତ୍ତିଗତ ପୃଷ୍ଠଭୂମି ଆବଶ୍ୟକ କରିନଥାଏ । ସାଧାରଣରେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ପ୍ରକାଶିତ ହୋଇନପାରୁଥିବା ବିଷୟବସ୍ତୁ ସାମାଜିକ ଗଣମାଧ୍ୟମର ଉପାଦାନ ସାଜେ । ଗବେଷଣାରୁ ଜଣାଯାଏ ଯେ ସାମାଜିକ ଗଣମାଧ୍ୟମରେ ଘଟଣାବଳୀର ନକାରାତ୍ମକ ଦିଗଗୁଡ଼ିକ ସହଜରେ ପ୍ରସାରିତ ହୋଇଥାଏ । ସେଥିମଧ୍ୟରେ ରାଜନୀତିକ ସମ୍ୱାଦ ପ୍ରାଧାନ୍ୟ ଲାଭ କରେ । ‘ପଲିଟିକାଲ କମ୍ୟୁନିକେସନ’ ପତ୍ରିକାର ୨୦୨୩ରେ ପ୍ରକାଶିତ ସାତ ହଜାର ବ୍ୟକ୍ତିଙ୍କୁ ନେଇ ଆହୂତ ଏକ ସର୍ବେକ୍ଷଣରେ ୧୦ ଗୋଟି ରାଜନୀତିକ ସମ୍ୱାଦ ମଧ୍ୟରୁ ୩.୪ ଗୋଟି ସମ୍ୱାଦ ମଞ୍ଚ ଓ ୬.୬ ଗୋଟି ଅଣ-ସମ୍ୱାଦ ମଞ୍ଚ ସୂତ୍ରରୁ ଆହରଣ କରାଯାଇଥିବା ଦର୍ଶାଯାଇଥିଲା ।
ଅନ୍ୟ କେତେକ ଗବେଷଣାରୁ ସୁସ୍ପଷ୍ଟ ଯେ ଏଣିକି ଅନଲାଇନ ସମ୍ୱାଦ ଉପଭୋକ୍ତାମାନେ ସମ୍ୱାଦ ମଞ୍ଚରେ ପହଞ୍ଚିଲେ ସୁଦ୍ଧା ସମ୍ୱାଦ ଭିନ୍ନ ଅନ୍ୟାନ୍ୟ ବିଷୟ ପ୍ରତି ଆକର୍ଷିତ ହୋଇଥାନ୍ତି । ‘ସାଇନ୍ସ ଏଡ଼ଭାନ୍ସସେସ’ ପତ୍ରିକାରେ ୨୦୨୦ରେ ପ୍ରକାଶିତ ଏକ ସନ୍ଦର୍ଭରେ ଅନଲାଇନ ପରିବେଶରେ ଉପଭୋକ୍ତାମାନେ ମାତ୍ର ଚାରି ପ୍ରତିଶତ ସମୟ ସମ୍ୱାଦ ପଠନରେ ଅତିବାହିତ କରୁଥିବା ଜଣାଯାଏ । ସମ୍ୱାଦ ମଞ୍ଚ ଭିନ୍ନ ମନୋରଞ୍ଜନ, ସେଲିବ୍ରିଟି ଓ ଇ-କମର୍ସ ସାଇଟଗୁଡ଼ିକ ସମ୍ୱାଦ ଆହରଣର ଅନ୍ୟତମ ଉତ୍ସ । ଯେଉଁମାନେ ରାଜନୀତିରେ କମ ଋଚି ରଖନ୍ତି ସେମାନେ ଅଧିକ ପରିମାଣରେ ଅଣ-ସମ୍ୱାଦ ମଞ୍ଚରୁ ରାଜନୀତିକ ସମ୍ୱାଦ ସଂସ୍ପର୍ଶରେ ଆସିଥାନ୍ତି ।
ବିକଶିତ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦ ଆହରଣ ଶୈଳୀ ଅନୁଶୀଳନ କରିବା ନିମନ୍ତେ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ମାର୍ଚ୍ଚ ୨୦୨୪ରେ ଦଶ ହଜାର ନାଗରିକଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଯାଇଥିଲା ଯେ ମୋଟାମୋଟି ଭାବେ ଅର୍ଦ୍ଧେକ ନାଗରିକ ସାମାଜିକ ଗଣମାଧ୍ୟମରୁ ରୀତିମତ ନହେଲେ ସୁଦ୍ଧା ସାମୟିକ ଭାବେ ସମ୍ୱାଦ ପାଇଥାନ୍ତି । ଫେସବୁକରୁ ୩୭ ପ୍ରତିଶତ, ଇନଷ୍ଟାଗ୍ରାମରୁ ୩୩ ପ୍ରତିଶତ ଓ ଏକ୍ସରୁ ୬୫ ପ୍ରତିଶତ ଉପଭୋକ୍ତା ସମ୍ୱାଦ ଆହରଣ କରନ୍ତି । ଅଧିକାଂଶଙ୍କ ମତରେ ସମ୍ୱାଦ ନିମନ୍ତେ ସାମାଜିକ ଗଣମାଧ୍ୟମ ମଞ୍ଚକୁ ସେମାନେ ପରିଦର୍ଶନ କରୁନଥିଲେ ହେଁ ସେଠାରୁ ସମ୍ୱାଦ ପାଇଯାଆନ୍ତି । ସାଧାରଣରେ ଇନଫ୍ଲୁଏନସରମାନଙ୍କ ସମ୍ୱାଦ ସମୀକ୍ଷା ସମେତ ଘଟଣାବଳୀ ସଂପର୍କରେ ହାସ୍ୟ ଉଦ୍ଦୀପକ ପୋଷ୍ଟଗୁଡ଼ିକ ଲୋକାଦୃତ ହୋଇଥାଏ ।
ଫେସବୁକ ଉପଭୋକ୍ତାମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଓ ଇନଷ୍ଟାଗ୍ରାମ ଉପଭୋକ୍ତାଙ୍କ ମଧ୍ୟରୁ ୭୨ ପ୍ରତିଶତ ନିଜ ପରିବାରରର ସଦସ୍ୟ, ବନ୍ଧୁବର୍ଗ ଓ ପରିଚ଼ିତ ବ୍ୟକ୍ତିଙ୍କ ଦ୍ୱାରା ପୋଷ୍ଟ ଓ ସେଆରରୁ ସମ୍ୱାଦ ପାଉଥିବା ସ୍ୱୀକାର କରନ୍ତି । ସ୍ଥଳବିଶେଷରେ ଏହି ଭଳି ସମ୍ୱାଦଗୁଡ଼ିକ ଭ୍ରମାତ୍ମକ ଥିବା ସଂପର୍କରେ ସେମାନେ ଅବଗତ । ଏକ୍ସର ୭୫ ପ୍ରତିଶତ ଉପଭୋକ୍ତା ସଂପୃକ୍ତ ମଞ୍ଚରୁ ଚଳନ୍ତି ଘଟଣାବଳୀ ସମ୍ୱାଦ ‘ବ୍ରେକିଂ ନିଉସ’ ପାଉଥିବା ସ୍ଥଳେ ଫେସବୁକରେ ୫୮ ପ୍ରତିଶତ ଓ ଇନଷ୍ଟାଗ୍ରାମରେ ୪୪ ପ୍ରତିଶତରେ ସୀମିତ । ଅପେକ୍ଷାକୃତ କମ ବୟସର ଉପଭୋକ୍ତାମାନେ ସାମାଜିକ ଗଣମାଧ୍ୟମରୁ ଅଧିକ ସଂଖ୍ୟକ ବ୍ରେକିଂ ନିଉଜ ପାଇଥାନ୍ତି ।
ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ କ୍ଷେତ୍ରରେ ଅନ୍ୟାନ୍ୟ ପ୍ରଭାବଶାଳୀ ତତ୍ତ୍ୱ ମଧ୍ୟରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପୋଷ୍ଟ ପ୍ରଦର୍ଶନ ଆଲଗୋରିଥିମ ନିୟନ୍ତ୍ରିତ ହେଉଥିବା ହେତୁ ଉପଭୋକ୍ତାଙ୍କ ଋଚିକୁ କେନ୍ଦ୍ର କରି ସମ୍ୱାଦ ପରିବେଷଣ ଏକ-ପାଖିଆ ହେବା ସ୍ୱାଭାବିକ । ସମ୍ୱାଦ ମଞ୍ଚରେ ସାମଗ୍ରିକ ଭାବେ ଘଟଣାବଳୀ ଜାଣିବା ସୁବିଧା ଥିବା ସ୍ଥଳେ ଅଣ-ସମ୍ୱାଦ ମଞ୍ଚରେ ସେଥିରୁ ବଞ୍ଚିତ ହେବାକୁ ପଡ଼େ । ଏହି ପରିବେଶ ଧୃବୀକରଣ ‘ପୋଲାରାଇଜେସନ’ର କାରଣ ଏବଂ ସମାଜ ପକ୍ଷେ ଅହିତକାରକ । ସେହିପରି ଅଣ-ସମ୍ୱାଦ ମଞ୍ଚ ମୁଖ୍ୟତଃ ସାମାଜିକ ଗଣମାଧ୍ୟମରେ ଅଗଣ୍ୟ ସମ୍ୱାଦ ସୂତ୍ର ଉପଲବ୍ଧ ଥିବା ହେତୁ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ମାତ୍ରା କମିଯାଏ ବୋଲି ଗବେଷଣାରୁ ଜଣାଯାଏ । ଏହି ଦୁଇ କାରଣରୁ ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ ଉପଭୋକ୍ତା ସ୍ୱାର୍ଥ ବିରୋଧୀ ବିଚାର କରାଯାଏ ।